fbpx

ବିଜେପିର ୨ ଦିନିଆ ରାଷ୍ଟ୍ରୀୟ ଅଧିବେଶନ, ଦଳୀୟ ନେତାଙ୍କୁ ବିଜୟ ମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟି(ବିଜେପି)ର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହେବ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଚଡ଼ାନ୍ତ ରଣନୀତି ପ୍ରସ୍ତୁତ କରାଯିବ ବୋଲି ବିଜେପିର ବରିଷ୍ଠ ନେତା ସଜ୍ଜନ ଶର୍ମା କହିଛନ୍ତି । ଏହି ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳୀୟ ନେତାଙ୍କୁ ବିଜୟ ମନ୍ତ୍ର ଦେବେ । କେମିତି ନିର୍ବାଚନ ପରିଚାଳନା କରିବେ, କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବେ ସେ ନେଇ ଦଳୀୟ ନେତା ମାନଙ୍କୁ ଟିପ୍ସ ଦିଆଯିବ ।  ଗୃହ ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ନେତା ଓ କାର୍ଯ୍ୟକତାଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନକୁ ବିଜେପିର ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଅଧିବେଶନକୁ ଉଦ୍‌ଘାଟନ କରିବେ ।  ସାରାଦେଶରୁ ପାଖାପାଖି ୧୧ହଜାର ନେତା ଓ କର୍ମକର୍ତ୍ତା ଏହି ଦୁଇ ଦିନିଆ ବୈଠକରେ ସାମିଲ ହେଉଛନ୍ତି । ଓଡିଶାରୁ ରାଜ୍ୟ ବିଜେପି ସଭାପତିଙ୍କ ସମେତ ପାଖାପାଖି ୨୮୮ ଜଣ କର୍ମକତା ଏହି ବୈଠକରେ ସାମିଲ ହେବାକୁ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଏଥିରେ ବିଜେପିର ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ରାଜ୍ୟ ପଦାଧି କାରୀ, ରାଜ୍ୟ ମୋର୍ଚ୍ଚାର ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକ, ରାଜ୍ୟ କୋର୍ କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି, ଅର୍ଥ କମିଟି ସଦସ୍ୟ, ଲୋକସଭା ପ୍ରଭାରୀ, ସଂଯୋଜକ, ରାଜ୍ୟ ମୁଖପାତ୍ର, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ରାଜ୍ୟ ସଂଯୋଜକ ଆଦି ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗ ଦେବେ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଅଧିବେଶନର ସମାପନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଶ୍ରୀ ଶର୍ମା କହିଛନ୍ତି । ନେତା ଓ କାର୍ଯ୍ୟକର୍ତାଙ୍କୁ ପ୍ରଧାନମନ୍ତ୍ରୀ ଓ ଶୀର୍ଷ ନେତୃତ୍ୱଙ୍କ ଟିପ୍ସ, ବିଜେପିକୁ ତୃଣମୂଳ ସ୍ତରରେ ମଜବୁତ୍ କରିବାରେ ସହାୟକ ହେବ ବୋଲି ଦଳ ଆଶା ରଖିଛି ।

Get real time updates directly on you device, subscribe now.