କୋଚି: କେରଳର କୋଚିରେ ଏକ କନଭେନସନ୍ ସେଣ୍ଟରରେ ବମ୍ ବ୍ଲାଷ୍ଟ ହୋଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ମିଳିଥିବା ସୂଚନା ଅନୁସାରେ ଏହି କନଭେନସନ୍ ସେଣ୍ଟରରେ ଚର୍ଚ୍ଚର ଏକ କାର୍ଯ୍ୟକ୍ରମ ଚାଲୁଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଏଠାରେ ଗୋଟିଏ ପରେ ଗୋଟିଏ ଧମାକା ହୋଇଥିଲା । ତେବେ ଏହି ଧମାକାର କାରଣ ଏବେ ସ୍ପଷ୍ଟ ହୋଇନାହିଁ । ତେବେ ଘଟଣାରେ ପୋଲିସର ଯାଞ୍ଚ ଜାରି ରହିଛି ।
ଏବେ ପୋଲିସ ଘଟଣାସ୍ଥଳକୁ ୪ ପଟୁ ଘେରାବନ୍ଦୀ କରି ରଖିଛି । କୁହାଯାଉଛି ଯେଉଁ ସମୟରେ ବିସ୍ଫୋରଣ ହେଲା ସେତେବେଳେ ଏଠାରେ ୨ ହଜାରରୁ ଅଧିକ ଲୋକ ଉପସ୍ଥିତ ଥିଲେ । ପୋଲିସ ସୂଚନା ଅନୁସାରେ ଏହି ବିସ୍ଫୋରଣ ସକାଳ ୯ଟା ପାଖାପାଖି ହୋଇଛି । ଦୁର୍ଘଟଣା ପରେ ଏବେ ସେଠାରେ ଏନଆଇଏ ଟିମ୍ ସହିତ କେରଳ ପୋଲିସର ଏଟିଏସ୍ ଟିମ୍ ବି ପହଞ୍ଚି ଯାଞ୍ଚ ଆରମ୍ଭ କରି ଦେଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କୁହାଯାଉଛି ଏହି କନଭେନସନ ସେଣ୍ଟରରେ ଗତ ୩ ଦିନ ଧରି କାର୍ଯ୍ୟକ୍ରମ ଚାଲୁଅଛି ଓ ଆଜି ଏହାର ଅନ୍ତିମ ଦିନ ଥିଲା ।