fbpx

ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ବୋମା: ଗୋଟିଏ ଫୋନ୍ କଲରେ ସାରା UPରେ ହଡ଼କମ୍ପ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ବଡ଼ ବଡ଼ ରାଜନେତା, ସେଲିବ୍ରେଟିଙ୍କୁ ଅଜ୍ଞାତ ସୂତ୍ରରୁ ଧମକ ମିଳିଥାଏ । ଫଳରେ ଏହାକୁ ପ୍ରଶାସନିକ ମହଲରେ ତନାଘନା ଆରମ୍ଭ ହୋଇଯାଇଥାଏ । ତେବେ ଏହି କ୍ରମରେ ଆଜି ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏପରି କିଛି ଘଟିଛି । ମୁଖ୍ୟମନ୍ତ୍ରୀ ବାସଭବନ ବାହାରେ ବୋମା ଖବର ଶୁଣିବା ପରେ ଚାରିଆଡ଼େ ଆତଙ୍କ ଖେଳି ଯାଇଛି । ଖବର ପାଇଁ ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

ସୂଚନା ମୁତାବକ, ଆଜି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ବାହାରେ ବୋମା ଥିବା ନେଇ ଖବର ମିଳିଥିଲା । ଏକ ଧମକଭରା ଫୋନ୍ କଲ୍ ମିଳିବା ପରେ ସାରା ୟୁପିରେ ହଡ଼କମ୍ପ ମଚିଯାଇଥିଲା । ଫଳରେ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ବମ୍ ନିରୋଧକ ଟିମ୍ ପହଞ୍ଚି ପ୍ରତି ସ୍ଥାନରେ ଯାଞ୍ଚ କରିଥିଲେ । ଏନେଇ ପୋଲିସକୁ ମଧ୍ୟ ଆଲର୍ଟ କରାଯିବା ପରେ କିଛି ଥାନାର ଫୋସ୍ ପହଞ୍ଚି ଯାଇଥିଲେ । ଏଥିସହିତ ଘଟଣାସ୍ଥଳରେ ଇଣ୍ଟେଲିଜେନ୍ସ ଟିମ୍ ମଧ୍ୟ ଉପସ୍ଥିତ ଥିଲେ । ତେବେ ବହୁ ସମୟ ଧରି ଛାନଭିନ୍ ପରେ ବି କୌଣସି ବୋମା ଉଦ୍ଧାର ହୋଇନଥିଲା ।

ପୋଲିସ ମୁତାବକ, ଅଭିଯୁକ୍ତ ଜଣଙ୍କ ଫୋନରେ ବୋମାର ସୂଚନା ଦେଇଥିଲେ । ଏହା ପରେ ଘଟଣାସ୍ଥଳରେ ଲୋକାଲ ଇଣ୍ଟେଲିଜେନ୍ସ ୟୁନିଟ (ଏଲଆଇୟୁ) ଟିମ୍ ପହଞ୍ଚିଥିଲେ । ସିଏମ ଯୋଗୀଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଥିଲା । ତେବେ ଏହି ସୂଚନା ଫର୍ଜି ଥିବା ପୋଲିସ ପକ୍ଷରୁ କୁହାଯାଇଛି । ସୂଚନା ଦେଇଥିବା ବ୍ୟକ୍ତିଙ୍କ ସନ୍ଧାନ ନେଇ ପ୍ରୟାସ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତମାସ ୩୦ ତାରିଖ ବିଳମ୍ବିତ ରାତ୍ରିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ହତ୍ୟା ଧମକ ମିଳିଥିଲା । ଏଥିସହିତ ଜାନୁଆରୀ ମାସ ୨୭ ତାରିଖରେ ମୁମ୍ବାଇର ବିଜେପି ପ୍ରଦେଶ ଅଧ୍ୟକ୍ଷ ଆଶିଷ ଶେଲାରଙ୍କୁ ଏବଂ ଜାନୁଆରୀ ୧୪ରେ କେନ୍ଦ୍ର ରୋଡ଼ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମଧ୍ୟ ଏଭଳି ଧମକ ମିଳିଥିଲା ।

Get real time updates directly on you device, subscribe now.