କଟକ- ଐତିହାସିକ ସହର କଟକରେ ଚାଲିଛି ବାଲିଯାତ୍ରା । ଠିକ ଏତିକି ବେଳେ କଟକରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ଟେକା ପଥର ସହ କାଚ ବୋତଲ ଫିଙ୍ଗା ଫୋପଡା କରିଛନ୍ତି । ଘଟଣାର ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ଓ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି ।
କଟକର ପଟାପୋଲ ଅଞ୍ଚଳରେ ବୁଧବାର ହଠାତ୍ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଗଣ୍ଡଗୋଳର ପ୍ରକୃତ କାରଣ ଜଣାପଡି ନ ଥିବା ବେଳେ କିନ୍ତୁ ଗାଡି ପାର୍କିଂକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ଜଣାପଡିଛି । ଗଣ୍ଡଗୋଳ ପରେ ଉଭୟ ଗୋଷ୍ଠୀର ବହୁ ଲୋକ ଏକତ୍ରିତ ହୋଇ ପରସ୍ପର ଉପରକୁ ଟେକା, ପଥର ଓ କାଚ ବୋତଲ ଫିଙ୍ଗାଫିଙ୍ଗି କରିଛନ୍ତି । ଏଥିରେ ୬ ଜଣ ଆହତ ହୋଇଥିବା ଜଣାପଡିଛି ।
ଖବର ପାଇ ଘଟଣାସ୍ଥଳରେ କ୍ୟାଣ୍ଟେନମେଣ୍ଟ ପୋଲିସ ପ୍ରଥମେ ପହଞ୍ଚିଥିଲା । ପରେ ଡିସିପି ମୀନା ମଧ୍ୟ ପହଞ୍ଚିଥିଲେ । ତୁରନ୍ତ ଡିସିପି ପୋଲିସ ଓ ସ୍ଥାନୀୟ ଶାନ୍ତି କମିଟି ସହ ଆଲୋଚନା କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ସ୍ଥିତି ମଧ୍ୟ ନିୟନ୍ତ୍ରଣକୁ ଆସିଛି । ତେବେ ଘଟଣାସ୍ଥଳରେ ଟେକା ପଥର ଓ ଭଙ୍ଗା କାଚ ପଡିଥିବା ଦେଖିବାକୁ ମିଳୁଥିବା ବେଳେ ସେଠାରେ କେହି ନାହାନ୍ତି । ପୋଲିସ ଲୋକଙ୍କୁ ଶାନ୍ତି ସ୍ଥାପନ କରିବାକୁ ଅପିଲ କରିଛି ।