fbpx

ବ୍ରିଟେନରେ ଏସୀୟ ଧନୀ ତାଲିକାରେ ଋଷି ସୁନକ ସାମିଲ୍, ଏତିକି ରହିଛି ୟୁକେ ପ୍ରଧାନମନ୍ତ୍ରୀଙ୍କ ସଂପତ୍ତି

ନୂଆଦିଲ୍ଲୀ: ବ୍ରିଟେନରେ ଏସୀୟ ଧନୀଙ୍କ ତାଲିକାରେ ସାମିଲ୍ ହେଲେ ବ୍ରିଟିଶ ପ୍ରଧାନ ମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି। ତାଲିକାରେ ସୁନକ ଦମ୍ପତ୍ତି ୧୭ତମ ସ୍ଥାନରେ ରହିଥିବା ବେଳେ ଶୀର୍ଷରେ ଅଛନ୍ତି ହିନ୍ଦୁଜା ପରିବାର। ୭୯୦ ମିଲିୟନ ପାଉଣ୍ଡ(ପାଖାପାଖି ୭୮, ୧୧, ୩୯, ୨୦, ୨୦୦ ଟଙ୍କା)ର ଆନୁମାନିକ ସଂପତ୍ତି ସହ ପ୍ରଧାନମନ୍ତ୍ରୀ ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ତାଲିକାରେ ୧୭ତମ ସ୍ଥାନରେ ରହିଛନ୍ତି।

ବ୍ରିଟେନରେ ଏସୀୟ ଧନୀଙ୍କ ତାଲିକାରେ ୩୦.୫ ବିଲିୟନ ପାଉଣ୍ଡ ସହ ହିନ୍ଦୁଜା ପରିବାର ଲଗାତାର ଅଷ୍ଟମ ଥର ଶୀର୍ଷରେ ଅଛନ୍ତି। ଗତ ବର୍ଷ ତୁଳନାରେ ଏଥର ହିନ୍ଦୁଜା ପରିବାରଙ୍କ ସଂପତ୍ତିରେ ୩ ବିଲିୟନ ପାଉଣ୍ଡ ବୃଦ୍ଧି ଘଟିଛି।

ବ୍ରିଟେନରେ ବଢୁଛି ଏସୀୟ ସମୁଦାୟର ପ୍ରାଧ୍ୟାନ୍ୟ

ଚଳିତ ବର୍ଷ ଏସୀୟ ଧନୀ ତାଲିକାରେ ୟୁକେର ୧୬ କୋଟିପତି ସାମିଲ୍, ଯାହା ଗତ ତୁଳନାରେ ଜଣେ ଅଧିକ। ପୁରସ୍କାର ସମାରୋହକୁ ସମ୍ଵୋଧିତ କରି ଲାଙ୍କେଟଷ୍ଟରର ଡଚି ଚାନସେଲର ଋଷି ସୁନକଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ପ୍ରତି ବର୍ଷ ବ୍ରିଟିଶ ଏସୀୟ ସମୁଦାୟଙ୍କ ପ୍ରାଧ୍ୟାନ୍ୟ ବଢିବାରେ ଲାଗିଛି। ଏସୀୟ ସମୁଦାୟ ନିଜର କଠୋର ପରିଶ୍ରମ, ଦୃଢ ସଂକଳ୍ପ ଏବଂ ଅଭିନବ କାମ ଯୋଗୁଁ ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି।

ସୂଚନାଯୋଗ୍ୟ, ବ୍ରିଟେନରେ ଏସୀୟ ଧନୀଙ୍କ ତାଲିକାରେ ସାମିଲ୍ ୪୨ ବର୍ଷୀୟ ଋଷି ସୁନକ ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ। ରାଜନୀତିକୁ ଆସିବା ପୂର୍ବରୁ ଋଷି ସୁନକ ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ନିବେଶ ବ୍ୟାଙ୍କ, ଗୋଲ୍ଡମ୍ୟାନ ସେକ୍ସର ବିଶ୍ଳେଷକ ଥିଲେ। ୟୁକେର ସବୁଠୁ ଧନୀ ସାଂସଦଙ୍କ ତାଲିକାରେ ସାମିଲ୍ ସୁନକ ୨୦୧୫ରେ ଚିଚମଣ୍ଡ ଆସନରୁ ବିଜୟୀ ହୋଇ ପ୍ରଥମ ଥର ୟୁକେର ସଂସଦକୁ ନିର୍ବାଚିତ ହୋଇଥିଲେ।

ଉଲ୍ଲେଖନୀୟ ଋଷି ସୁନକଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ହେଉଛନ୍ତି ଭାରତୀୟ ଆଇଟି କମ୍ପାନି ଇନଫୋସିସର ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଝିଅ। ଚଳିତ ବର୍ଷ ତାଲିକାରେ ସାମିଲ୍ ଏସୀୟ ଧନୀ ବ୍ୟକ୍ତିଙ୍କ ମୋଟ୍ ସଂପତ୍ତିର ପରିମାଣ ୧୧୩.୨ ବିଲିୟନ ପାଉଣ୍ଡ, ଯାହା ଗତ ବର୍ଷ ତୁଳନାରେ ୧୩.୫ ବିଲିୟନ ପାଉଣ୍ଡ ଅଧିକ ରହିଛି।

Get real time updates directly on you device, subscribe now.