୧୫ ମାସର ଝିଅକୁ ନିର୍ଯ୍ୟାତନା, ଚାପୁଡ଼ା ମାରିଲେ, ବେଲ୍ଟରେ ପିଟିଲେ, ମନ ଶାନ୍ତି ହେଲାନି ଯେ କାମୁଡ଼ିକି ରକ୍ତାକ୍ତ କରିଦେଲେ
ଡେ କେୟାର ସେଣ୍ଟରରେ ୧୫ ମାସର ଶିଶୁକନ୍ୟାକୁ ଅକଥନୀୟ ନିର୍ଯ୍ୟାତନା।
ଉତ୍ତରପ୍ରଦେଶ: ୧୫ ମାସର ଶିଶୁ କନ୍ୟା ସହ ଡେ କେୟାର ସେଣ୍ଟରରେ ବର୍ବରତା। ସିସିଟିଭିରେ କଏଦ ହେଲା ଡେ କେୟାର ସେଣ୍ଟରର ଚାକରାଣୀର ଅମାନୁଷିକ କାର୍ଯ୍ୟ।
କୁନି ଝିଅକୁ ପ୍ରଥମେ ଚାପୁଡ଼ା ପରେ ଚାପୁଡ଼ା ମାରିଲା। ତାପରେ ତଳେ କଚାଡ଼ି ବେଲ୍ଟରେ ମନଇଚ୍ଛା ପିଟିଲା। ଏତିକିରେ ମନ ଶାନ୍ତ ହେଲାନି ଯେ, ଛୁଆଟିକୁ କାମୁଡ଼ି ଲହୁ ଲୁହାଣ କରିପକାଇଲା।
ଶିଶୁକନ୍ୟାକୁ ନିର୍ଯ୍ୟାତନା: ଉତ୍ତରପ୍ରଦେଶର ନୋଏଡ଼ାରେ ଜଣେ ୧୫ ମାସର ଝିଅ ଉପରେ ଏପରି ଅମାନୁଷିକ କାର୍ଯ୍ୟ ହୋଇଥିବା ଘଠଣା ସାମ୍ନାକୁ ଆସିଛି। ଏକ ଡେ କେୟାର ସେଣ୍ଟରରେ ଥିବା ଜଣେ ମେଡ୍ ଝିଅଟିକୁ ଚାପୁଡ଼ା ମାରିବା ସହିତ ତାକୁ ତଳେ ପକାଇ ଅକଥନୀୟ ନିର୍ଯ୍ୟାତନା ଦେଇଛି।
ଚାକରାଣୀର ଏହି କାର୍ଯ୍ୟ ଡେ କେୟାର ସେଣ୍ଟରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଯେଉଁଥିରେ ସେ ଝିଅଟିକୁ କୋଳରେ ଧରିଥିବା ସମୟରେ ତା ଉପରେ ପ୍ରତମେ ଆକ୍ରମଣ କରିଥିବା କୁହାଯାଉଛି।
କେବଳ ଏତିକି ନୁହେଁ ସେ ଝିଅଟିକୁ ଏକ ପ୍ଲାଷ୍ଟିକ୍ ବେଲ୍ଟରେ ପିଟିବା ସହିତ ତଳେ କଚାଡି ଦେଇଥିଲା। ଆଉ ପରେ ଦାନ୍ତରେ କାମୁଡ଼ି ଲହୁ ଲୁହାଣ କରିଦେଇଥିବା ସୂଚନା ମିଳିଛି।
ମା’ ଦେଖିଲେ କାମୁଡା ଦାଗ: ନୋଏଡ଼ାର ସେକ୍ଟର-୧୩୭ ପାରସ ଟିଆରା ସୋସାଇଟିରେ ଥିବା ଡେ କେୟାର ସେଣ୍ଟର BLIPEE ରୁ ଏହି ମାମଲା ସାମ୍ନାକୁ ଆସିଛି।
ଯେତେବେଳେ ଶିଶୁକନ୍ୟାର ମାଆ ଝିଅଟିକୁ ଡେ କେୟାରରୁ ଘରକୁ ଆଣିଥିଲେ, ସେତେବେଳେ ଝିଅଟି ଲଗାତାର କାନ୍ଦୁଥିଲା। ତେଣୁ ମାଆ ଝିଅର ଦେହ ଦେଖିବା ବେଳକୁ ଝିଅଟିର ଜଙ୍ଘରେ କାମୁଡ଼ା ଚିହ୍ନ ଦେଖିବାକୁ ପାଇଲେ।
ଏପରି ପରିସ୍ଥିତିରେ ମାଆ ତୁରନ୍ତ ଝିଅଟିକୁ ହସ୍ପିଟାଲକୁ ନେଇ ଡାକ୍ତରଙ୍କୁ ଦେଖାଇଲେ। ଡାକ୍ତର ଝିଅଟିର ସ୍ୱାସ୍ଥ୍ୟ ପରୀକ୍ଷା କରି କହିଲେ ଯେ ଝିଅଟିର ଜଙ୍ଘରେ ଯେଉଁ ଆଘାତ ଚିହ୍ନ ଅଛି ତାହା ‘କାମଡ଼ା ଦାଗ’। ଅର୍ଥାତ୍ ଝିଅଟିର ଜଙ୍ଘକୁ କେହି ଦାନ୍ତରେ କାମୁଡ଼ି ଦେଇଛି।
ସିସିଟିଭିରେ ସବୁ ସତ: ତା’ପରେ ମା’ ଜଣଙ୍କର ଡେକେୟାର ପରିଚାରିକାଙ୍କ ଉପରେ ସନ୍ଦେହ ହୋଇଥିଲା। ତେଣୁ ଝିଅଟିର ମା’ ଅନ୍ୟମାନଙ୍କ ସହିତ ଡେକେୟାରରେ ପହଞ୍ଚିଥିଲେ ଏବଂ ତାଙ୍କୁ ସିସିଟିଭି ଯାଞ୍ଚ କରିବାକୁ କହିଥିଲେ।
କିନ୍ତୁ ମା’ଙ୍କ ଅଭିଯୋଗ ସତ୍ତ୍ୱେ ଡେକେୟାରର ମୁଖ୍ୟ ପ୍ରଥମେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ତା’ପରେ ସିସିଟିଭି ଫୁଟେଜ୍ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା ଏବଂ ପରିଚାରିକା ସ୍ପଷ୍ଟ ଭାବରେ ଝିଅଟିକୁ ନିର୍ମମ ବ୍ୟବହାର କରୁଥିବାର ଦେଖାଯାଇଥିଲା। ଭିଡିଓରେ ଝିଅଟି କାନ୍ଦିବା ସମୟରେ ସେ ତାକୁ ଚାପୁଡ଼ା ମାରୁଥିବା ଏବଂ ତଳେ ଫିଙ୍ଗି ଦେଉଥିବା ଦେଖାଯାଇଛି।
ଜଙ୍ଘକୁ କାମୁଡି ଦେଲେ: କେବଳ ଏତିକି ନୁହେଁ ଡେ କେୟାରରେ ଝିଅଟିକୁ ପ୍ଲାଷ୍ଟିକ୍ ବେଲ୍ଟରେ ପିଟିବା ଏବଂ ଝିଅଟିର ଜଙ୍ଘକୁ ଦାନ୍ତରେ କାମୁଡ଼ିବା ଅଭିଯୋଗ ହୋଇଛି।
ମାଆ ଅଭିଯୁକ୍ତ ଚାକରାଣୀ ଏବଂ ଡେ କେୟାର ବିରୋଧରେ ମାମଲା ରୁଜୁ କରିଛନ୍ତି। ମହିଳାଙ୍କ ଅଭିଯୋଗ ଆଧାରରେ ସେକ୍ଟର-୧୪୨ ଥାନାରେ ଏକ ଏଫଆଇଆର ରୁଜୁ ହୋଇଛି ଏବଂ ଅଭିଯୁକ୍ତ ଚାକରାଣୀକୁ ମଧ୍ୟ ଗିରଫ କରାଯାଇଛି। ଡେ କେୟାର BLIPEE ର ମୁଖ୍ୟ ରିଷି ଆରୋରାଙ୍କ ପତ୍ନୀ ଚାରୁଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି।
ଡେ କେୟାର ସେଣ୍ଟର BLIPEE ସମ୍ପର୍କରେ BSA ଗୌତମ ବୁଦ୍ଧ ନଗର ଏବଂ ଶିଶୁ କଲ୍ୟାଣ ଅଧିକାରୀଙ୍କ ଠାରୁ ଏକ ରିପୋର୍ଟ ମଗାଯାଉଛି।
ଅଭିଯୋଗ କରାଯିବା ପରେ ଡେ କେୟାରର ମୁଖ୍ୟ ଅପମାନଜନକ ଭାଷା ବ୍ୟବହାର କରିଥିଲେ ଏବଂ ଧମକ ମଧ୍ୟ ଦେଇଥିଲେ ବୋଲି ଅଭିଯୋଗ ହୋଇଛି, ଯାହା ପରେ ଝିଅଟିର ମାଆ ପୋଲିସରେ ଯାଇ ଅଭିଯୋଗ କରିଥିଲେ।