ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବିଜୟ ପାଇଁ ସଂଘର୍ଷ କରୁଛି ରୋହିତ ସେନା । ପିଙ୍କ ବଲ ଟେଷ୍ଟରେ ପୁଣିଥରେ ଟିମ ଇଣ୍ଡିଆ ଉପରେ ଅଷ୍ଟ୍ରେଲିଆ ବୋଲର ଭାରୀ ପଡ଼ଇଛନ୍ତି । ଲଗାତାର ୱିକେଟ ହରାଇବା ପରେ ଭାରତ ଏବେ ବଡ଼ ଲକ୍ଷ୍ୟ ଦେବା ପାଇଁ ଚେଷ୍ଟା କରୁଛି । କିନ୍ତୁ ଦଳର ଉପ-ଅଧିନାୟକ ଜଶପ୍ରୀତ ବୁମରାହ ନିଜ ଟାଲେଣ୍ଟ ଦେଖାଇଛନ୍ତି । ପ୍ରଥମ ଇନିଂସରେ ଦମଦାର ବୋଲିଂ କରିଥିଲେ ମଧ୍ୟ ୫ଟି ୱିକେଟ ହାସଲ କରିବାରେ ବିଫଳ ହୋଇଛନ୍ତି ବୁମରାହ । କିନ୍ତୁ ସେ ୩୧ ବର୍ଷ କ୍ରିକେଟରେ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି ।
ଆଡିଲେଡ ଟେଷ୍ଟ ପୂର୍ବରୁ ବୁମରାହ ୪୧ ଟେଷ୍ଟରେ ୧୮୧ ୱିକେଟ ହାସଲ କରିଥିଲେ । ଏହାସହିତ ବୁମରାହ ଟେଷ୍ଟ ଇତିହାସର ସର୍ବଶ୍ରେଷ୍ଠ ବୋଲରଙ୍କ ତାଲିକାରେ ସ୍ଥାନ ପାଇ ସାରିଥିଲେ । ତେବେ ସିଡନୀ ବାର୍ନେସଙ୍କ ବ୍ୟୀତ ଗତ ୧୦୦ ବର୍ଷରେ କୌଣସି ବୋଲର ବୁମରାହଙ୍କ ଅପେକ୍ଷା ଭଲ ହାରରେ ତାଙ୍କଠାରୁ ଅଧିକ ୱିକେଟ ହାସଲ କରି ନାହାନ୍ତି । ବାର୍ନେସ ୧୬.୪୩ ହାରରେ ସର୍ବଶ୍ରେଷ୍ଠ ବୋଲରଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି । ଆଡିଲେଡ ଟେଷ୍ଟର ପ୍ରଥମ ଇନିଂସ ପରେ ବୁମରାହ ୧୯.୯୫ ହାର ରଖିଛନ୍ତି । ଅର୍ଥାତ୍ ବର୍ତ୍ତମାନ ପର୍ଯ୍ୟନ୍ତ ବୁମରାହ ପ୍ରତି ୧୯.୯୫ ରନ ବ୍ୟବଧାନରେ ୱିକେଟ ହାସଲ କରିଛନ୍ତି । ୨୦୨୪ ରେ ବୁମରାହ ୩ଟି ଯାକ ଫର୍ମାଟରେ ଦମଦାର ପ୍ରଦର୍ଶନ କରିଛନ୍ତି । ଟି-୨୦ ବିଶ୍ୱକପ ବିଜୟରେ ଦଳ ପାଇଁ ୧୫ ୱିକେଟ ହାସଲ କରିବା ସହ ପ୍ରମୁଖ ଭୂମିକା ତୁଲାଇଥିଲେ ବୁମରାହ । ବର୍ତ୍ତମାନ ସୁଦ୍ଧା ୧୧ଟି ଟେଷ୍ଟରେ ବୁମରାହ ୧୫.୨୨ ହରରେ ୫୩ଟି ୱିକେଟ ନିଜ ନାମରେ କରିଛନ୍ତି ।
ଟେଷ୍ଟ ଇତିହାସରେ ଏପର୍ୟ୍ୟନ୍ତ ଏହା ସମୁଦାୟ ୧୦୬ ଥର ଘଟିଛି, ଯେତେବେଳେ ଜଣେ ପେସର ଏକ କ୍ୟାଲେଣ୍ଡର ବର୍ଷରେ ପଚାଶ କିମ୍ବା ଅଧିକ ୱିକେଟ୍ ନେଇଛନ୍ତି । କିନ୍ତୁ କେବଳ ୪ ଜଣ ବୋଲରଙ୍କ ହାର ୧୬ ରୁ କମ୍ ରହିଛି । ସେଥିମଧ୍ୟରୁ ପାକିସ୍ତାନର ପୂର୍ବତନ ଅଧିନାୟକ ଇମ୍ରାନ ଖାନ ଶୀର୍ଷରେ ଅଛନ୍ତି, ଯିଏ ୧୯୮୨ ରେ ୧୩.୨୯ ହାରରେ ୯ ଟେଷ୍ଟରୁ ୬୨ ୱିକେଟ୍ ନେଇଥିଲେ। ୧୯୧୨ ମସିହାରେ ୧୪.୮୦ ହାରରେ ୬୧ ୱିକେଟ୍ ନେଇଥିବା ବେଳେ ବର୍ଣ୍ଣସ୍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ପାକ୍ କ୍ରିକେଟର ୱାକର ୟୁନୁସ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି। ୧୯୯୩ ରେ ସେ ୧୫.୨୩ ହାରରେ ୫୫ ୱିକେଟ୍ ନେଇଥିଲେ। ଗତ ୩୧ ବର୍ଷରେ ବୁମରାହ ପ୍ରଥମ ବୋଲର ଭାବେ ଗୋଟିଏ ବର୍ଷରେ ୧୬ ରୁ କମ୍ ହାର ସହ ୫୦ ୱିକେଟ୍ ନେଇଛନ୍ତି ।