fbpx

ଅନଲାଇନରେ ମିଳିବ ମଦ: ହଜାରେ ଟଙ୍କାର ମଦ କିଣିଲେ ଦେବାକୁ ପଡିବ ୧୦୦ ଟଙ୍କା ଡେଲିଭେରୀ ଚାର୍ଜ

ଭୁବନେଶ୍ୱର, ୪ା୫ (ଓଡିଶା ଭାସ୍କର) : ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ଲକଡାଉନ୍ ଲାଗୁ ହେବାକୁ ଯାଉଛି । ଆଉ ୧୯ ତାରିଖ ଯାଏଁ ବଳବତ୍ତର ରହିବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ସାରା ଓଡିଶାବାସୀ ପୁଣିଥରେ ଘରେ ବନ୍ଦ ହେବାକୁ ଯାଉଛନ୍ତି । ତେବେ ଏହି ସମୟରେ ଜରୁରୀକାଳୀନ କାର୍ଯ୍ୟକୁ ବାଦ୍ ଦେଲେ ସବୁ କିଛି ବନ୍ଦ ରହିବ ବୋଲି ସରକାର ଘୋଷଣା କରି ସାରିଛନ୍ତି । ତେଣୁ ଏବେ ଠାରୁ ମଦୁଆ ମାନେ ଚିନ୍ତାରେ ପଡିଯାଉଛନ୍ତି । କାରଣ ଲକଡାଉନ୍ ସମୟରେ ମଦ କେଉଁଠୁ ଆଣିବେ । ସେମାନଙ୍କ ପାଇଁ ସୁବିଧା କରିବାକୁ ଯାଇ ଅବକାରୀ ବିଭାଗ ଏବେ ଚିନ୍ତା କରୁଛି । ସେମାନେ ଅନଲାଇନ୍ ମଦ ଅର୍ଡର କରି ପିଇ ପାରିବେ ବୋଲି ଏବେ ଯୋଜନା ଚାଲିଛି । ଅବକାରୀ ବିଭାବ ପକ୍ଷରୁ ଏନେଇ ଏକ ବ୍ଲୁ-ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ଅବକାରୀ ବିଭାଗ ପକ୍ଷରୁ ଏକ ବୈଠକ ବସିଥିଲା । ମଦ ଅନଲାଇନ୍ ରେ ବିକ୍ରି ହେବ ନା ନାହିଁ ତାହା ଆଜି ସଂଧ୍ୟାରେ ସମସ୍ତଙ୍କୁ ଅବଗତ କରାଯିବ । ଅନଲାଇନ୍ ରେ ମଦ ବିକ୍ରି କରିବା ନେଇ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି କାର୍ଯ୍ୟ ଆରମ୍ଭ ହେବ ।

ବର୍ତ୍ତମାନ ଯାହା ସୁଚନା ରହିଛି ଲୋକମାନେ ଜମାଟୋ ଏବଂ ସ୍ୱିଗିରୁ ମଦ ମଗେଇ ପାରିବେ । କିନ୍ତୁ ଏଥିପାଇଁ ସ୍ୱତନ୍ତ୍ର ଡେଲିଭେରୀ ଚାର୍ଜ ଲାଗିବ । ଆଉ ଏହି ସେବା ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର ଏବଂ ପୁରୀରେ ଲାଗୁ ହେବ ବୋଲି ସୁଚନା ମିଳିଛି । ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯଦି ଅନଲାଇନ୍ ବ୍ୟବସାୟ ପାଇଁ ଅନୁମତି ମିଳେ, ତେବେ ୧ ହଜାର ଟଙ୍କା ଭିତରେ ମଦ କିଣିଲେ ୧ ଶହ ଟଙ୍କା ଡେଲିଭରୀ ଚାର୍ଜ ଦେବାକୁ ପଡିବ । ୧ ହଜାର ୧ ଟଙ୍କାରୁ ୧୫ ଶହ ଟଙ୍କା ଭିତରେ ମଦ କିଣିଲେ ୧୨୫ ଟଙ୍କା ଡେଲିଭରୀ ଚାର୍ଜ ପଡିବ । ୪,୫୦୧ ଟଙ୍କାରୁ ଅଧିକ ମଦ ପାଇଁ ୩ ଶହ ଟଙ୍କା ଡେଲିଭରୀ ଚାର୍ଜ ନେବେ ଜୋମାଟୋ ଓ ସ୍ୱିଗୀ ।

ଗୋଟେପଟେ ଅବକାରୀ ବିଭାଗ ଅନଲାଇନ୍ ମାଧ୍ୟମରେ ମଦ ବିକ୍ରି କରିବା ନେଇ ଯୋଜନା କରୁଥିବା ବେଳେ ଅନ୍ୟପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରମାନେ ଏହାକୁ ବିରୋଧ କରିଛନ୍ତି । ସେହିପରି ପୋଲିସ୍ କହିଛି ଯେ, ଅନଲାଇନ୍ ରେ ବିକ୍ରି କରିବାକୁ ଅନୁମତି ମିଳିଳେ ବି ବେପାରୀ ମାନେ ଅଫଲାଇନ୍ ରେ ବିକ୍ରି କରିପାରିବେ । ତେବେ ଆସନ୍ତାକାଲି ଲକଡାଉନ୍ ଆରମ୍ଭ ହେଉଥିବାରୁ ବିଭିନ୍ନ ମଦ ଦୋକାନ ସାମନାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଲକଡାଉନ୍ ଭୟରେ ଲୋକ ମାନେ ପେଟି ପେଟି ମଦ ବୋହି ନେଇଯାଉଥିବାର ଦେଖିବାକୁ ମିଳିଥିଲା । ଦୋକାନ ଗୁଡିକ ବାହାରେ ଲୋକ ମାନେ କୋଭିଡ୍ କଟକଣାକୁ ମାନୁ ନଥିବା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.