୧୩ ବିଧାନସଭା ଆସନରେ ଉପନିର୍ବାଚନ… ଜୁଲାଇ ୧୦ ତାରିଖରେ ୭ଟି ରାଜ୍ୟରେ ପୁଣି ରାଜନୈତିକ ଲଢେଇ

ନୂଆଦିଲ୍ଲୀ: ଚଳିତବର୍ଷ ଲୋକସଭା ନିର୍ବାଚନରେ ବହୁମତ ପାଇ କେନ୍ଦ୍ରରେ ସରକାର ଗଢିଛି ଭାରତୀୟ ଜନତା ପାର୍ଟି । ଏହାପରେ ବର୍ତ୍ତମାନ ଉପ-ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ । ଏହି ୧୩ଟି ଆସନରେ ପୁଣିଥରେ ନିର୍ବାଚନ ହେବ ବୋଲି ଇଲେକ୍ସନ କମିଶନ୍ ତରଫରୁ ସୂଚନା ମିଳିଛି । ଏଥିମଧ୍ୟରୁ କିଛି ଆସନ ଲୋକସଭା ନିର୍ବାଚନ ପରେ ଖାଲି ହୋଇଛି । କିଛି ବିଧାୟକ ସଂସଦ ନିର୍ବାଚନ ଲଢିବା ପାଇଁ ନିଜ ପଦରୁ ଇସ୍ତଫା ଦେଇଥିଲେ । ତେଣୁ ଏହିସବୁ ଆସନ ପାଇଁ ବର୍ତ୍ତମାନ ନୂଆ ପ୍ରାର୍ଥୀ ଖୋଜିବା ପାଇଁ ଉପ-ନିର୍ବାଚନ କରାଯିବ ।

ଜୁଲାଇ ୧୦ ତାରିଖରେ ଦେଶର ୭ଟି ରାଜ୍ୟରୁ ମୋଟ ୧୩ଟି ବିଦାନସଭା ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ଏହି ତାଲିକାରେ ପଶ୍ଚିମବଙ୍ଗରୁ ସର୍ବାଧିକ ୪ଟି ବିଧାନସଭା ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ହିମାଚଳରୁ ୩ ଏବଂ ଉତ୍ତରାଖଣ୍ଡରୁ ୨ଟି ଆସନରେ ଭୋଟଗ୍ରହଣ କରାଯିବ । ଏହାବ୍ୟତୀତ ତାମିଲନାଡୁ, ବିହାର, ପଞ୍ଜାବ ଏବଂ ମଧ୍ୟପ୍ରଦେଶରୁ ଗୋଟିଏ ଲେଖାଏଁ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଆସନ ଗୁଡ଼ିକରେ ଉପ-ନିର୍ବାଚନ ପାଇଁ ଜୁନ୍ ୧୪ ତାରିଖରେ ନୋଟିଫିକେସନ୍ ଜାରି ହୋଇଥିଲା ।

ଜୁନ୍ ୨୧ ତାରିଖ ନାମାଙ୍କନ ଭରିବାର ଶେଷ ତାରିଖ ରହିଥିବା ବେଳେ ସ୍କ୍ରୁଟନୀ ମଧ୍ୟ ୨୪ ତାରିଖରେ ଶେଷ ହୋଇଛି । ସେହିପରି ନାମାଙ୍କନ ଫେରା ନେବାର ଶେଷ ତାରିଖ ଥିଲା ଜୁନ୍ ୨୬ ତାରିଖ । ଏହି ସମସ୍ତ ପ୍ରକିୟା ଶେଷ ହେବା ପରେ ଆସନ୍ତା ୧୦ ତାରିଖରେ ଏହିସବୁ ଆସନ ପାଇଁ ଉପ-ନିର୍ବାଚନ ହେବ ବୋଲି ଘୋଷଣା ହୋଇଛି ।