fbpx

କ୍ୟାବିନେଟ୍‌ରେ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାକୁ ମଞ୍ଜୁରୀ , ୧ କୋଟି ଘରର ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏକ ପ୍ରେସ୍ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳିକୁ ମଞ୍ଜୁରୀ ମିଳିଛି । ଏହି ଯୋଜନା ଜରିଆରେ ୧କୋଟି ଘରକୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ମିଳିବା ସହିତ ବାର୍ଷିକ ୧୫୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ହେବ । ୧୩ ଫେବୃୟାରୀରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୋଜନା ଲଞ୍ଚ କରିଥିଲେ । ଏଥିରେ ପ୍ରତି ପରିବାର ଲାଗି ୨ କିଲୋୱାଟ ପର୍ଯ୍ୟନ୍ତ ରୁଫ୍ ଟପ୍ ସୋଲାର ପ୍ଲାଣ୍ଟର ଖର୍ଚ୍ଚ ୧୪୫୦୦୦ଟଙ୍କା ରହିବ । ଏଥିରେ ୭୮,୦୦୦ଟଙ୍କାର ସବସିଡି ସରକାର ଦେବେ ।

ଏହାକୁ ନେଇ ନ୍ୟାସନାଲ ପୋର୍ଟାଲ ଲଞ୍ଚ କରାଯାଇଛି ଓ ଘର ମାଲିକ ଏହା ଉପରେ ଭେଣ୍ଡର ଚୟନ କରିପାରିବେ । ଏଥିପାଇଁ ସହଜ କିସ୍ତିରେ ବ୍ୟାଙ୍କରୁ ଲୋନ୍ ମଧ୍ୟ ମିଳିବ । ପିଏମ୍ ସୂର୍ଯ୍ୟଘର ଯୋଜନା ଜରିଆରେ ପ୍ରତି ଗ୍ରାମରେ ମଡେଲ ସୋଲାର ଭିଲେଜ୍ ନିର୍ମାଣ କରାଯିବ ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି କ୍ୟାବିନେଟରେ ୭୫,୦୨୧ କୋଟି ଟଙ୍କା ବ୍ୟୟରେ ଏକ କୋଟି ଘରେ ଛାତ ଉପରେ ସୌର ଶକ୍ତି ପ୍ୟାନେଲ ସ୍ଥାପିତ କରିବା ପାଇଁ ପିଏମ୍ ସୂର୍ଯ୍ୟଘର ଯୋଜନାକୁ ମଞ୍ଜୁରୀ ଦିଆଯାଇଛି ।

Get real time updates directly on you device, subscribe now.