fbpx

NDA ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି କ୍ୟାପଟେନ୍ ଅମରିନ୍ଦର ସିଂ

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ NDA ପକ୍ଷରୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇପାରନ୍ତି । କ୍ୟାପଟେନ୍ ନିଜ ଦଳ ପଞ୍ଜାବ ଲୋକ କଂଗ୍ରେସକୁ ବିଜେପି ସହ ମିଶାଇକୁ ପ୍ରସ୍ତୁତି ଆରମ୍ଭ କରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ସୁଦ୍ଧା ବିଜେପି କି NDA ତରଫରୁ ଏନେଇ କୌଣସି ସୂଚନା ଦିଆଯାଇନି । କିନ୍ତୁ NDA ତରଫରୁ ଅମରିନ୍ଦରଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ତେବେ ଗତବର୍ଷ କଂଗ୍ରେସରୁ ଇସ୍ତଫା ଦେଇଥିଲେ ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି । ଅସ୍ତ୍ରୋପଚାର ପରେ ଅମରିନ୍ଦର ସିଂ ଲଣ୍ଡନରୁ ଫେରିବା ପରେ ଏଥିରେ ଅନ୍ତିମ ମୋହର ଲଗାଯାଇପାରେ ।

ସୂଚନାଯୋଗ୍ୟ ଯେ, ଚିକିତ୍ସା ପାଇଁ କ୍ୟାପଟେନ୍ ଏବେ ଲଣ୍ଡନରେ ଅଛନ୍ତି । ତାଙ୍କର ଅପରେସନ ହୋଇଛି । ସେ ଚଳିତମାସ ଦ୍ୱିତୀୟ ସପ୍ତାହରେ ପଞ୍ଜାବ ଫେରିଆସିବେ । ଦେଶର ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ୧୧ ଅଗଷ୍ଟରେ ଶେଷ ହେବ। ଏହା ପୂର୍ବରୁ ୬ ଅଗଷ୍ଟରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ ୫ରେ ବିଜ୍ଞପ୍ତି ଜାରି କରାଯିବ। ଏଥି ସହିତ ଜୁଲାଇ ୧୯, ୨୦୨୨ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରାଯିବ। ଜୁଲାଇ ୨୦ରେ ନାମାଙ୍କନପତ୍ରର ଯାଞ୍ଚ କରାଯିବା ସହିତ ଜୁଲାଇ ୨୨ ମଧ୍ୟ‌ରେ ଆବେଦନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଯଦି ମତଦାନ ଆବଶ୍ୟକ ହୁଏ, ତେବେ ଅଗଷ୍ଟ ୬ରେ ଭୋଟ୍ ଦିଆଯିବ। ମତଦାନ ସମୟ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ହେବ। ମତଦାନ ଦିନ ହିଁ ଭୋଟ ଗଣତି ମଧ୍ୟ କରାଯିବ।

Get real time updates directly on you device, subscribe now.