fbpx

ଜିଦରେ ଅଟଳ ଅମରିନ୍ଦର; କ୍ଷମା ନମାଗିଲେ ସିଦ୍ଧୁଙ୍କୁ ଭେଟିବିନି

ନୂଆଦିଲ୍ଲୀ: ନଭଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ମୁଖିଆ ଭାବରେ ନିଯୁକ୍ତ ଦିଆଯିବା ପରେ କ୍ୟାପଟେନ ଓ ତାଙ୍କ ମଧ୍ୟରେ ଥିବା ବିବାଦରେ ପୂର୍ଣ୍ଣଛେଦ ପଡିବା ନେଇ ଆଶା କରାଯାଉଥିଲା । ତେବେ ଏହି ଅଡୁଆ କମିବା ପରିବର୍ତ୍ତେ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ସିଦ୍ଧୁ ପଞ୍ଜାବ କଂଗ୍ରେସ ମୁଖ୍ୟ ଭାବରେ ନିଯୁକ୍ତ ହୋଇଥିଲେ ହେଁ ତାଙ୍କୁ ଭେଟୁନଥିଲେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପ୍ରଭାରୀଙ୍କ ବୟାନ ଏହି ଘଟଣାକୁ ଆହୁରି ଗୋଳମାଳିଆ କରିଛି ।

ଅମରିନ୍ଦରଙ୍କ ମିଡିଆ ପ୍ରଭାରୀ ରବୀନ୍ ଠକରାଲଙ୍କ ଟ୍ୱିଟ ଏହି ବିବାଦକୁ ଆହୁରି ଘନୀଭୂତ କରିଛି । ସିଦ୍ଧୁ ତାଙ୍କୁ ସର୍ବସାଧାରଣରେ କ୍ଷମା ନ ମାଗିଲେ ସେ ତାଙ୍କୁ ଭେଟିବାର ପ୍ରଶ୍ନ ଉଠୁନାହିଁ ବୋଲି ଠକରାଲ କହିଛନ୍ତି । ଠକରାଲ ଲେଖିଛନ୍ତି ସିଦ୍ଧୁ ଓ ଅମରିନ୍ଦରଙ୍କ ମଧ୍ୟରେ ଭେଟର କୌଣସି ସମ୍ଭାବନା ନାହିଁ । ଅତୀତରେ ସିଦ୍ଧୁ ଯେଉଁଭଳି ଅପମାନ ସୂଚକ ମନ୍ତବ୍ୟ ଦେଇଛନ୍ତି ସେଥିଲାଗି କ୍ଷମାପ୍ରାର୍ଥନା ନକଲେ ଭେଟିବାର ପ୍ରଶ୍ନ ଉଠୁନାହିଁ ବୋଲି ଠକରାଲ ଟ୍ୱିଟ କରିଛନ୍ତି । ଏହା ପୂର୍ବରୁ ମନ୍ତ୍ରୀ ବ୍ରହ୍ମ ମହିନ୍ଦ୍ରା ମଧ୍ୟ ସିଦ୍ଧୁଙ୍କୁ ଭେଟିବାକୁ ମନା କରି ଦେଇଥିଲେ । ସିଦ୍ଧୁଙ୍କ ନିଯୁକ୍ତିକୁ ମୁଁ ସ୍ୱାଗତ କରୁଛି ମାତ୍ର କ୍ୟାପଟେନଙ୍କ ସହ ତାଙ୍କର ମତଭେଦ ଦୂର ନହେବା ଯାଏଁ ମୁଁ ତାଙ୍କୁ ଭେଟିବାର ସମ୍ଭାବନା ନାହିଁ ବୋଲି ମହିନ୍ଦ୍ରା କହିଛନ୍ତି ।

Get real time updates directly on you device, subscribe now.