fbpx

ଦେଶରେ କରୋନା ନେଲାଣି ୧୦୯ ଜୀବନ, ଆକ୍ରାନ୍ତଙ୍କ ସଂଖ୍ୟା ୪ହଜାର ଟପିଲା

ନୂଆଦିଲ୍ଲୀ, ୬ା୪: ସମଗ୍ର ବିଶ୍ୱରେ ଆତଙ୍କର ବାତାବରଣ ଖେଳାଇଥିବା କରୋନା ଭାଇରସ୍ ଭାରତରେ ମଧ୍ୟ ଏହାର କାୟା ମେଲାଇବା ଆରମ୍ଭ କରିଦେଇଛି । ଦେଶରେ କରୋନା ଜନିତ ରୋଗ (କୋଭିଡ୍-୧୯) ଫଳରେ ମୃତକଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇ ଚାଲିଛି । ସୋମବାର ଅପରାହ୍ନ ସୁଦ୍ଧା ଦେଶରେ କରୋନା ଫଳରେ ୧୦୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୪ ହଜାର ଅତିକ୍ରମ କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୯୦ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଭାରତରେ ବର୍ତ୍ତମାନ ସୁଦ୍ଧା ୪୦୬୯ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ୨୯୨ ଜଣ ଦେଶରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେଣୁ ଦେଶରେ ୩୬୬୬ଟି କରୋନା ମାମଲା ଆକ୍ଟିଭ୍ ଥିବା ସୂଚନା ଦିଆଯାଇଛି । କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟାରେ ମହାରାଷ୍ଟ୍ର ସବୁଠୁ ଆଗରେ ରହିଛି । ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୬୯୦ଟି ପଜିଟିଭ୍ କେସ୍ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୪୨ଜଣ ସୁସ୍ଥ ହୋଇ ସାରିଲେରି ଏବଂ ୪୫ଜଣଙ୍କ ମୃତ୍ୟୁ ହେଲାଣି । ସେହିପରି ତାମିଲନାଡୁର ୫୭୧ଟି ମାମଲା ସାମ୍ନାକୁ ଆସିଛି । ଏମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦିଲ୍ଲୀରେ ଏପର୍ଯ୍ୟନ୍ତ ୫୦୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮ଜଣ ସୁସ୍ଥ ହୋଇଛନ୍ତି ଏବଂ ୭ଜଣଙ୍କ ମୃତ୍ୟୁ ହୋଇଛି । ତେଲେଙ୍ଗାନାରେ ଏପର୍ଯ୍ୟନ୍ତ ୩୨୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୭ଜଣ ଜୀବନ ହାରିଲେଣି । ସେହିପରି ଉତ୍ତରପ୍ରଦେଶରେ ଏପର୍ଯ୍ୟନ୍ତ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୭ ରହିଛି ଏବଂ ୧୯ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ।

Get real time updates directly on you device, subscribe now.