fbpx

ବାଲେଶ୍ୱର, ଜୟପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ହସ୍ପିଟାଲ

ବାଲେଶ୍ୱର / ଜୟପୁର, ୧୩ା୪ (ଓଡ଼ିଶା ଭାସ୍କର): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରୟାସ ଜାରି ରଖିଛନ୍ତି । ଏହାର ଫଳସ୍ୱରୂପ ସୋମବାର ରାଜ୍ୟର ବାଲେଶ୍ୱର ଓ ଜୟପୁରରେ ଗୋଟିଏ ଲେଖାଏଁ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଜୟପୁରରେ କାର୍ଯ୍ୟକ୍ଷମ ହୋଇଥିବା କୋଭିଡ୍ ହସ୍ପିଟାଲରେ ବେଡ଼୍ ସଂଖ୍ୟା ୧୫୦ ଥିବା ବେଳେ ବାଲେଶ୍ୱରରେ କାର୍ଯ୍ୟକ୍ଷମ କୋଭିଡ୍ ହସ୍ପିଟାଲରେ ୧୨୦ଟି ବେଡ୍ ଥିବା ସୂଚନା ଦିଆଯାଇଛି । କୋରାପୁଟର ଜୟପୁରରେ କାର୍ଯ୍ୟକ୍ଷମ ଏହି କୋଭିଡ୍ ହସ୍ପିଟାଲକୁ ସହରର ପୁରୁଣା ମେଡ଼ିକାଲ୍ରେ ପ୍ରସ୍ତୁତ କରାଯାଇଛି । ଜିଲ୍ଲା ମେଡ଼ିକାଲ୍ ହେବା ପରେ ଏହିଠାରେ କେବଳ ରକ୍ତଭଣ୍ଡାର ଓ ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟ କରୁଥିଲା, ଅନ୍ୟ ଅଂଶଗୁଡ଼ିକ ଭୂତ କୋଠି ହୋଇ ରହିଥିଲା । ଏହାକୁ ସାନିଟାଇଜ୍ କରି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହାର କରିବାକୁ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଥିଲା ।

ଅନ୍ୟପଟେ ବାଲେଶ୍ୱରରେ ପ୍ରସ୍ତୁତ କୋଭିଡ଼୍ ହସ୍ପିଟାଲକୁ କୋରଡାସ୍ଥିତ ଜ୍ୟୋତି ହସ୍ପିଟାଲରେ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ (ଓଏଚପିସି) ସହାୟତା ଯୋଗାଇ ଦିଆଯାଇଛି । ବାଲେଶ୍ୱରରେ ପ୍ରସ୍ତୁତ ଏହି କୋଭିଡ୍ ହସ୍ପିଟାଲରେ ୧୨ଟି ଆଇସିୟୁର ବ୍ୟବସ୍ଥା କରାଯାଇଛି ।

ଏହି କୋଭିଡ୍ ହସ୍ପିଟାଲଗୁଡ଼ିକରେ କରୋନା ଆକ୍ରାନ୍ତଙ୍କୁ ମାଗଣାରେ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ତେଣୁ ସବୁ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଝାରସୁଗୁଡ଼ାରେ ମଧ୍ୟ ଏକ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ପାଇଁ କାର୍ଯ୍ୟ ଜାରି ରହିଛି ।

Get real time updates directly on you device, subscribe now.