fbpx
BJD SKY
BJD SKY

ଜାଣନ୍ତୁ, ଲକଡାଉନ ସମୟରେ କେଉଁ କାର୍ଯ୍ୟ କରିହେବ

BJD

ଭୁବନେଶ୍ୱର, ୧୩ା୪ (ଓଡ଼ିଶା ଭାସ୍କର): ଲକ୍ଡାଉନ୍ରେ କେତେକ କାର୍ଯ୍ୟ କରାଯାଇପାରିବ ବୋଲି ସୋମବାର ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ଲକ୍ଡାଉନ୍ ସମୟରେ କୃଷି ସମ୍ପର୍କୀତ କାର୍ଯ୍ୟ ଜାରି ରହିପାରିବ ବୋଲି କୁହାଯାଇଛି । ଖରିଫ ଲୋନ୍ ପାଇଁ ଦରଖାସ୍ତ ଦେବା ଏବଂ ବ୍ୟାଙ୍କଗୁଡ଼ିକରେ ଏସମ୍ପର୍କିତ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି । ତୈଳ ଓ ଡାଲି ଜାତୀୟ ପଦାର୍ଥ ପାଇଁ ନାଫେଡ୍ ଓ ବାର୍କଫେଡର ସଂଗ୍ରହ କାମ ଜାରି ରହିବ । ମଣ୍ଡି ଓ ହାଟରେ କୃଷିଜାତ ଦ୍ରବ୍ୟର ବିକ୍ରିକୁ ସରକାରଙ୍କ ତରଫରୁ ଅନୁମତି ଦିଆଯାଇଛି । ସାର ବିହନ ଓ କୃଷି ଜନ୍ତ୍ରପାତି ଦୋକାନ ଖୋଲା ରହିବ । ଟ୍ରାକ୍ଟର ଓ ଟ୍ରକ ଜରିଆରେ କୃଷିଜାତ ସାମଗ୍ରୀର ପରିବହନ ହୋଇପାରିବ । ପଶୁ ସମ୍ପଦ ସମ୍ପର୍କିତ ସମସ୍ତ କାର୍ଯ୍ୟ ଜାରି ରହିବ । ବନୀକରଣ, ଚାରା ରୋପଣ, ଜଳ ଉତ୍ସ ନିର୍ମାଣ କାମ ତାଲାବନ୍ଦ କଟକଣାରୁ ବାଦ୍ ଦିଆଯାଇଛି । ଏହାସହ ମତ୍ସ୍ୟ ଉତ୍ପାଦନ ସମ୍ପର୍କିତ ସବୁ କାର୍ଯ୍ୟ, ଉଦ୍ୟାନ ଜାତ କୃଷି ସମ୍ପର୍କିତ ସମସ୍ତ କାର୍ଯ୍ୟ, କେନ୍ଦୁପତ୍ର ସଂଗ୍ରହ, ବିକ୍ରି ଓ ପ୍ରକ୍ରିୟାକରଣ କାର୍ଯ୍ୟ ଜାରି ରହିପାରିବ । ପାନୀୟ ଜଳ ସମ୍ପର୍କିତ କାମ ଯଥା ବୋରୱେଲ୍ ଖୋଳା ଓ ମରାମତି କାର୍ଯ୍ୟ ଜାରି ରହିପାରିବ । ପାଇପ ଯୋଗେ ଜଳ ଯୋଗାଣ, ମରାମତି, ପାନୀୟ ଜଳ ପ୍ରକଳ୍ପ ତିଆରି ଓ ମରାମତି କାର୍ଯ୍ୟ ମଧ୍ୟ ଜାରି ରହିବ । ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ କାମ ଜାରି ରହିବ । ଏହାସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାମ, ଅନ୍ଲାଇନରେ ସାମଗ୍ରୀ ମଗାଇବାକୁ ସରକାରଙ୍କ ତରଫରୁ ଅନୁମତି ଦିଆଯାଇଛି । ତେବେ ହୋଟେଲ୍, ରେଷ୍ଟୁରାଣ୍ଟ ଓ ଢ଼ାବାରୁ ଖାଦ୍ୟ ମଗାଇ ହେବ ବୋଲି ସରକାରଙ୍କ ତରଫରୁ କୁହାଯାଇଥିବା ବେଳେ ସେଠାରେ ବସି ଖାଇହେବ ନାହିଁ ବୋଲି ସ୍ପଷ୍ଟଭାବେ କୁହାଯାଇଛି । ଗ୍ରାମାଞ୍ଚଳରେ ନରେଗା କାର୍ଯ୍ୟ ଚାଲୁ ରହିବ । ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନାରେ କାମ ଜାରି ରହିବ । ସାମୁଦ୍ରିକ ଖାଦ୍ୟ ଉତ୍ପାଦନ ଓ ପ୍ରକ୍ରିୟାକରଣରେ ବାଧା ରହିବ ନାହିଁ ବୋଲି ସୂଚନା ଦିଆଯାଇଛି । ସମବାୟ ବିଭାଗ ସମ୍ପର୍କିତ କାର୍ଯ୍ୟକୁ ମଧ୍ୟ ତାଲାବନ୍ଦରୁ ବାଦ୍ ଦିଆଯାଇଛି । କୋହଳ ହୋଇଥିବା ସବୁ କ୍ଷେତ୍ରରେ ମାଲ୍ ପରିବହନ ପାଇଁ ଅନୁମତି ଦିଆଯାଇଛି । ତେବେ ସବୁ କ୍ଷେତ୍ରରେ ସାମାଜିକ ଦୂରତା ରକ୍ଷା କରିବାକୁ କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି । କୌଣସି ଅଞ୍ଚଳ କଣ୍ଟେନମେଣ୍ଟ (ଅବରୋଧ) ଅଞ୍ଚଳ ଘୋଷିତ ହୋଇଥିଲେ ଏସବୁ କାର୍ଯ୍ୟ ଜାରି ରହିପାରିବ ନାହିଁ ବୋଲି ସରକାରଙ୍କ ତରଫରୁ କୁହାଯାଇଛି ।

Get real time updates directly on you device, subscribe now.