fbpx

ଭାରତରେ ପ୍ରଥମ କରୋନା ରୋଗୀର ମୃତ୍ୟୁ

ନୂଆଦିଲ୍ଲୀ / ଭୁବନେଶ୍ୱର, ୧୨ା୩ (ବ୍ୟୁରୋ): ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବିପଦଜ୍ଜନକ କରୋନା ଭାଇରସ୍ ଭାରତରେ ମଧ୍ୟ ଏହାର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଭାରତରେ ଏହା ଧିରେ ଧିରେ ଭୟଙ୍କର ରୂପ ଧାରଣ କରିବା ଆରମ୍ଭ କରିଛି । କରୋନା ଫଳରେ ଦେଶରେ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । କର୍ଣ୍ଣାଟକର କୁଲବର୍ଗୀ ଅଞ୍ଚଳରେ ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କ କରୋନା ଫଳରେ ମୃତ୍ୟୁ ହୋଇଛି । ବୁଧବାର ରାତିରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ନମୁନା ରିପୋର୍ଟ ଆସିବା ପରେ କରୋନା ଫଳରେ ତାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଏହି ବ୍ୟକ୍ତିଜଣକ ସାଉଦି ଆରବରୁ ଫେରିଥିଲେ । କରୋନା ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଅନ୍ୟପଟେ ଦେଶରେ ବୁଧବାର ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨ ଥିବା ବେଳେ ଗୁରୁବାର ଏହି ସଂଖ୍ୟା ୭୪କୁ ବୃଦ୍ଧି ପାଇଛି । ଗୁରୁବାର ଚିହ୍ନଟ ହୋଇଥିବା କରୋନା ପଜିଟିଭଙ୍କ ମଧ୍ୟରେ ୧୦ ଜଣ ଉତ୍ତରପ୍ରଦେଶ, ଜଣେ ତେଲେଙ୍ଗାନା, ଜଣେ ରାଜସ୍ଥାନ ଏବଂ ଅନ୍ୟ ଜଣେ ଜମ୍ମୁ-କଶ୍ମୀରର ବୋଲି ଜଣାପଡ଼ିଛି । କରୋନାକୁ ଦୃଷ୍ଟିରେ ରଖି ବିଶ୍ୱର ଅନ୍ୟାନ୍ୟ ଦେଶର ନାଗରିକଙ୍କ ଭାରତ ପ୍ରବେଶ ଉପରେ ରୋକ୍ ଲଗାଯାଇଛି । ତଦନୁଯାୟୀ କୌଣସି ଦେଶର ନାଗରିକଙ୍କୁ ଆସନ୍ତା ଅପ୍ରେଲ ୧୫ ତାରିଖ ପର୍ଯ୍ୟନ୍ତ ଭାରତ ଆସିବା ନେଇ ଭିସା ଦିଆଯିବ ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡ଼ବ୍ଲ୍ୟୁଏଚ୍‌ଓ) ଦ୍ୱାରା କୋଭିଦ -୧୯ରୁ ବ୍ୟାପୁଥିବା ଏହି ରୋଗକୁ ବିଶ୍ୱ ମହାମାରୀ ଘୋଷଣା କରାଯିବା ପରେ ଆମେରିକା ଓ ବ୍ରିଟେନକୁ ଛାଡି ବିଶ୍ୱର ସମସ୍ତ ଦେଶ ପାଇଁ ନିଜର ଦ୍ୱାର ବନ୍ଦ କରିଛି ଭାରତ । ବିଶ୍ୱରେ ୪୬୦୦ ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇ ସାରିଲେଣି । ବର୍ତ୍ତମାନ ସୁଦ୍ଧା ଏଭଳି ଏକ ଘାତକ ରୋଗର ଔଷଧ ବାହାରି ପାରିନାହିଁ ।

Get real time updates directly on you device, subscribe now.