fbpx

ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗ; ସାଂସଦ ମହୁଆଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକପାଳ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ତ୍ରୁଣମୂଳ କଂଗ୍ରେସ(ଟିଏମସି) ନେତ୍ରୀ ତଥା କ୍ରୀଷ୍ଣାନଗର ଲୋକସଭା ସାଂସଦ ମହୁଆ ମୋଇତ୍ରାଙ୍କ ପାଇଁ ବଢ଼ିଲା ଅଡୁଆ । ସଂସଦରେ ଟଙ୍କା ନେଇ ପ୍ରଶ୍ନ ପଚାରିବା ଅଭିଯୋଗର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା କରିବାକୁ ଲୋକପାଳ ନିର୍ଦ୍ଦେଶ ଦେଇଛନ୍ତି। ବିଜେପି ସାଂସଦ ଡ଼. ନିଶିକାନ୍ତ ଦୁବେ ଏକ୍ସ ମାଧ୍ୟମରେ ଏକ ପୋଷ୍ଟ କରି ଏହି ଘଟଣା ସମ୍ପର୍କରେ ଲେଖିଛନ୍ତି ଯେ ‘ମୋ ଅଭିଯୋଗ ଆଧାରରେ ଲୋକପାଳ ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ଆସିଥିବା ଦୁର୍ନୀତିର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।’’

ବିଜେପି ସାଂସଦ ଶ୍ରୀ ଦୁବେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ସଂସଦରେ ପ୍ରଶ୍ନ ପଚାରିବା ପାଇଁ ସାଂସଦ ଶ୍ରୀମତୀ ମୈତ୍ରଙ୍କ ଆଦାନୀ ଗ୍ରୁପ୍‌ର ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱୀ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ନଗଦ ଟଙ୍କା ଗ୍ରହଣ କରିଥିଲେ। ଏହା ସହ ସେ ଦାବି କରିଛନ୍ତି ଯେ ଶ୍ରୀମତୀ ମୈତ୍ର ବ୍ୟବସାୟୀ ହିରାନନ୍ଦାନୀଙ୍କ ସହ ତାଙ୍କ ସଂସଦୀୟ ଲଗ୍‌ ଇନ୍‌ ଶେୟାର କରି ଜାତୀୟ ନିରାପତ୍ତା ସହ ବୁଝାମଣା କରିଛନ୍ତି। ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଚିଠି ଲେଖି ତୁରନ୍ତ ସାଂସଦ ଶ୍ରୀମତୀ ମୈତ୍ରଙ୍କଙ୍କୁ ସଂସଦରୁ ନିଲମ୍ବିତ କରିବାକୁ ମଧ୍ୟ ସେ ଦାବି କରିଛନ୍ତି।

ସୂଚନା ଥାଉକି, ବିଜେପି ସାଂସଦ ନିଶିକାନ୍ତ ଦୁବେ ଏବଂ ଜୟ ଅନନ୍ତ ଦେହାରାଇଙ୍କ ଅଭିଯୋଗ କ୍ରମେ ମହୁଆ ଅଡୁଆରେ ପଡିଛନ୍ତି । ତେବେ ତାଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗକୁ ନେଇ ଲୋକସଭାର ଏଥିକ୍ସ ବା ନୈତିକତା କମିଟି ତଦନ୍ତ ଜାରି କରିଛି । ଗତ ନଭେମ୍ବର ୨ ତାରିଖ ଦିନ କମିଟିର ପ୍ରଥମ ବୈଠକରେ ମହୁଆ ହାଜର ହୋଇଥିଲେ । ତେବେ ଶୁଣାଣି ସମୟରେ ତାଙ୍କୁ ‌ଅଶାଳୀନ ପ୍ରଶ୍ନ ପଚରାଗଲା ବୋଲି ସେ ଅଭିଯୋଗ କରି ବୈଠକ ଅଧାରୁ ଉଠି ଆସିଥିଲେ।

 

Get real time updates directly on you device, subscribe now.