fbpx

ସମୁଦ୍ର ପାଣିରେ ଭାସି ଆସିଲେ ୨୫୦୦ ମୃତ ବିରଳ ସିଲ; ଆଶ୍ଚର୍ଯ୍ୟ କରୁଛି ଏପରି ଘଟଣା

ନୂଆଦିଲ୍ଲୀ: ରୁଷର କାସପିନ୍ ସାଗର ଉପକୂଳରେ ବିରଳ ପ୍ରଜାତିର ୨୫୦୦ ମୃତ ସିଲ୍ ଭାସି ଆସି ସମୁଦ୍ର ତଟରେ ପଡ଼ିଥିବା ଦେଖିବାକୁ ମିଳିଛି । ଏହି ସମସ୍ତ ସିଲଙ୍କର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । କାସପିନ୍ ସିଲ୍ ହେଉଛି କାସପିନ୍ ସାଗରରେ ଥିବା ଏକମାତ୍ର ସ୍ତନ୍ୟପାୟୀ ପ୍ରାଣୀ । ଇଣ୍ଟରନ୍ୟାସନାଲ ୟୁନିଅନ୍ ଫର କନଭର୍ସନ ଅଫ୍ କନଜରଭେସନ ଦ୍ୱାରା ସେମାନଙ୍କୁ ବିରଳ ଘୋଷଣା କରି ୨୦୦୮ ମସିହାରୁ ସେମାନଙ୍କୁ ରେଡ୍ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି ।
କୁହାଯାଉଛି ଯେ ଏହି ମୃତ ସିଲ୍ ଗୁଡିକ ଋଷର ଡେଗେଷ୍ଟାନ୍ ରିପବ୍ଲିକର କାସପିନ୍ ସାଗର ଉପକୂଳକୁ ଭାସି ଆସିଛି । ଏହା ପୃଥିବୀର ବୃହତ୍ତମ ଜଳକ୍ଷେତ୍ର ଭାବେ ଜଣା । ଏହି ସମୁଦ୍ର ପାଞ୍ଚ ଦେଶ ଆଜେରବାଇଜାନ, ଇରାନ, କାଜାଖସ୍ତାନ, ଋଷ ଏବଂ ତୁର୍କମେନିସ୍ତାନ ସୀମା ସହିତ ଜଡ଼ିତ । ଦାଗେସ୍ତାନର ପ୍ରାକୃତିକ ସମ୍ପଦ ମନ୍ତ୍ରଣାଳୟ କହିଛି ଯେ ପ୍ରାଣୀଟି ପ୍ରାକୃତିକ କାରଣରୁ ମୃତ୍ୟୁ ବରଣ କରିଛି । ମୃତ ସିଲ୍ ସଂଖ୍ୟା ଅଧିକ ହୋଇପାରେ ବୋଲି ମନ୍ତ୍ରଣାଳୟ ଚେତାବନୀ ଦେଇଛି । ଏହି ସିଲ୍ ଯାଞ୍ଚ କରିବା ପରେ ମନ୍ତ୍ରଣାଳୟ କହିଛି ଯେ ପ୍ରାୟ ୨ ସପ୍ତାହ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି ।

ମନ୍ତ୍ରଣାଳୟ କହିଛି ଯେ ହିଂସାତ୍ମକ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବାର କୌଣସି ସୂଚନା ନାହିଁ । କୌଣସି ମାଛଧରା ଜାଲ ମଧ୍ୟ ମିଳିନାହିଁ । ଅଧିକ ସିଲ୍ ସମ୍ପର୍କରେ ସୂଚନା ପାଇବା ପାଇଁ ଅନୁସନ୍ଧାନକାରୀମାନେ ସମଗ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ କରୁଛନ୍ତି ବୋଲି ଏଜେନ୍ସି କହିଛି । ଏଥି ସହିତ, କାସପିନ୍ ପରିବେଶ କେନ୍ଦ୍ରର ବିଶେଷଜ୍ଞମାନେ ମୃତ୍ୟୁର କାରଣ ଜାଣିବା ପାଇଁ ଏହି ସିଲ୍ ଗୁଡିକର ନମୁନା ଯାଞ୍ଚ କରୁଛନ୍ତି । ଏହାପୂର୍ବରୁ କାଜାଖସ୍ତାନ କୂଳରେ ୧୪୦ ଟି ମୃତ କାସପିନ୍ ସିଲ୍ ମିଳିଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ଅତ୍ୟଧିକ ଶିକାର, ସମୁଦ୍ର ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ କାସପିନ୍ ସାଗରରେ ସିଲସଂଖ୍ୟା ହ୍ରାସ ପାଇଛି । ସିଲ୍ ସାଧାରଣତଃ ମାଛ ଖାଏ ଏବଂ ଏହାର ଲମ୍ବ ୫.୨ ଫୁଟ ପର୍ଯ୍ୟନ୍ତ ବଢିପାରେ । ସେମାନଙ୍କର ଓଜନ ୧୦୦ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇପାରେ । ସମୁଦ୍ରରେ ସେମାନଙ୍କର କୌଣସି ପ୍ରାକୃତିକ ଶତ୍ରୁ ମଧ୍ୟ ନାହାଁନ୍ତି ।

Get real time updates directly on you device, subscribe now.