fbpx

ଦେଶର ୭୫୬ଟି ରେଳ ଷ୍ଟେସନରେ ଲାଗିବ CCTV Surveillance: ଓଡ଼ିଶାରୁ ୧୫ଟି ସାମିଲ, ସୁଇଚ୍ ଟିପିଲେ ପହଞ୍ଚିବ ପୋଲିସ

Advertisement

ନୂଆଦିଲ୍ଲୀ: ଦେଶର ୭୫୬ଟି ରେଳ ଷ୍ଟେସନକୁ ଭିଡିଓ ସର୍ଭେଲାନ୍ସ ପ୍ରୋଜେକ୍ଟରେ ସାମିଲ କରାଯିବ । ସେଥିରେ ଓଡ଼ିଶାର ୧୫ଟି ରେଳ ଷ୍ଟେସନକୁ ସାମିଲ କରାଯାଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏହି କାର୍ଯ୍ୟ ସମାପ୍ତ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପରେ ଏ-୧, ଏ, ବି, ସି ବର୍ଗର ରେଳ ଷ୍ଟେସନକୁ ସ୍ଥାନ ଦିଆଯିବ । ଏଥିପାଇଁ ଭାରତ ସରକାରଙ୍କ ନିର୍ଭୟା ପାଣ୍ଠିରୁ ଅର୍ଥ ବ୍ୟୟବରାଦ କରାଯାଇଛି ।

ସୂଚନା ମୁତାବକ, ଅନୁଗୁଳ, ଯାଜପୁର, ଢେଙ୍କାନାଳ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ଼, କେନ୍ଦୁଝର ରୋଡ଼, ବଲାଙ୍ଗିର, ସମ୍ବଲପୁର, ଟିଟିଲାଗଡ଼, କୋରାପୁଟ, ରାୟଗଡ଼ା, ପଲାସା, ବିଜୟନଗରମ, ଶ୍ରୀକାକୁଲମ୍ ରୋଡ଼ ଓ ଜଗଦଲପୁର ଆଦି ରେଳ ଷ୍ଟେସନରେ ଏହି ସିସିଟିଭି ସର୍ଭେଲାନ୍ସ ସ୍ଥାପନ କରାଯିବ । ଏହି ପ୍ରୋଜେକ୍ଟ ଇଣ୍ଟରନେଟ ପ୍ରୋଟୋକଲ ଆଧାରିତ ହୋଇଥିବା ବେଳେ ଷ୍ଟେସନର ପ୍ରତ୍ୟେକ ଗହଳି ସ୍ଥାନ ଉପରେ ଉଚ୍ଚକ୍ଷମତା ସମ୍ପନ୍ନ ସିସିଟିଭି ନଜର ରଖିବ । ପ୍ରବେଶ, ପ୍ରସ୍ଥାନ, ଟ୍ୱେଟିଂ ହଲ, ପ୍ଲାଟଫର୍ମ, ଟିକେଟ କାଉଣ୍ଟର, ଫୁଟ ଓଭରବ୍ରିଜ, ପାର୍ସଲ ଅଫିସ ଆଦିରେ ସିଟିଟିଭି ଲାଗିବ ।

ସିସିଟିଭିକୁ ପରିଚାଳନା ପାଇଁ ଆରପିଏଫ ଅଫିସରେ କଣ୍ଟ୍ରୋଲ ରୁମ୍ ରହିବ । କ୍ୟାମେରାରେ ଉତ୍ତୋଳନ ହେଉଥିବା ଭିଡିଓ ବିଭାଗୀୟ ଓ ଜୋନ୍ ଅଫିସରେ ଉପଲବ୍ଧ ରହିବ । କୃତ୍ରିମ ବୁଦ୍ଧିମତ୍ତା ଉପରେ ଆଧାରିତ ଏହି ଟେକ୍ନୋଲୋଜିର ପ୍ରୟୋଗ କରି ପେଶାଦାର ଅପରାଧୀଙ୍କୁ ପୋଲିସ ଚିହ୍ନଟ କରିପାରିବ । ମୁହଁ ଚିହ୍ନଟ ବ୍ୟବସ୍ଥା (ଏଫଆରଏସ) ଜରିଆରେ ପୂର୍ବରୁ ସଂରକ୍ଷିତ ଥିବା ଅପରାଧୀଙ୍କ ଫଟୋ ସହିତ ଷ୍ଟେସନ ପରିସରରେ ଥିବା ଅପରାଧୀଙ୍କ ମୁହଁକୁ ସ୍ୱୟଂଚାଳିତ ବ୍ୟବସ୍ଥାରେ ମେଳ କରାଯିବ । ଯାତ୍ରୀଙ୍କ ପାଇଁ ପ୍ରତ୍ୟେକ ପ୍ଲାଟଫର୍ମରେ ୨ଟି ଲେଖାଏଁ ପ୍ୟାନିକ୍ ବଟନ ରହିବ । ଅସୁବିଧାରେ ପଡ଼ିଥିବା ବ୍ୟକ୍ତି ଏହି ବଟନ୍ ଟିପିଲେ ସେଠାରେ ଲାଗିଥିବା କ୍ୟାମେରା ସେହି ଆଡ଼କୁ ବୁଲିଯିବ । ଏଥିସହିତ ନିୟନ୍ତ୍ରଣ କକ୍ଷରେ ବସିଥିବା କର୍ମଚାରୀ ଏନେଇ ସଜାଗ ହୋଇ ଯାତ୍ରୀଙ୍କୁ ନିକଟରେ ତୁରନ୍ତ ପହଞ୍ଚିଯିବ । ସୂଚନା ଯୋଗ୍ୟ ଯେ, ଗତ ବର୍ଷ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରକଳ୍ପ ବାବଦରେ ସୂଚନା ଦେଇଥିଲେ ।

Get real time updates directly on you device, subscribe now.