fbpx

କୁନ୍ନୁର ହେଲିକପ୍ଟର ଦୁର୍ଘଟଣା: CDS ବିପିନ ରାୱତଙ୍କ ପରଲୋକ, ସ୍ପଷ୍ଟକଲା ବାୟୁସେନା

ନୂଆଦିଲ୍ଲୀ:

ପରଲୋକରେ ଦେଶର ପ୍ରଥମ ସିଡିଏସ୍ ବିପିନ ରାୱତ । ହେଲିକପ୍ଟର ଦୁର୍ଘଟଣାରେ ସିଡିଏସଙ୍କ ବିପିନ ରାୱତଙ୍କ ମୃତ୍ୟୁ । ମୃତ୍ୟୁ ହୋଇଥିବା ନେଇ ଟ୍ୱିଟ୍ ଯୋଗେ ସ୍ପଷ୍ଟ କଲା ଭାରତୀୟ ବାୟୁସେନା । ସିଡିଏସ୍ ବିପିନ ରାୱତଙ୍କ ପତ୍ନୀ ମଧୁଲିକା ରାୱତଙ୍କ ମଧ୍ୟ ପରଲୋକ । ଉଭୟଙ୍କ ସହ ହେଲିକପ୍ଟରରେ ଥିବା ମୋଟ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କହିଲା ବାୟୁସେନା । କେବଳ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ । ଗ୍ରୁପ୍ କ୍ୟାପ୍ଟେନ ବରୁଣ ସିଂହ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ।

ସୂଚନାଯୋଗ୍ୟ, ବୁଧବାର ସିଡିଏସ ୱେଲିଂଟନ୍ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ ଯାଉଥିବା ସମୟରେ ବାୟୁସେନା ହେଲିକପ୍ଟର Mi 17 V5 କ୍ରାସ ହୋଇଥିଲା । ହେଲିପ୍ଟରରେ ୪ କ୍ରିଉ ମେମ୍ବର, ସିଡିଏସଙ୍କୁ ମିଶାଇ ୧୦ ଯାତ୍ରୀ ଥିଲେ । ତେବେ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତ ରହିଛନ୍ତି । ପ୍ରାରମ୍ଭିକ ଭାବରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ପ୍ରକାଶ ପାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ୧୩କୁ ବୃଦ୍ଧି ପାଇଛି । ସିଡିଏସ୍ ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ଚପର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଚପରଟି ନୀଳଗିରି ହିଲସରେ ଦୁର୍ଘଟଣାର ଶିକାର ହୋଇଥିଲା । ହେଲିକପ୍ଟରରେ ସେନାର ପ୍ରମୁଖ ଅଧିକାରୀଙ୍କ ସହିତ ରାୱତ ଦମ୍ପତ୍ତି ମଧ୍ୟ ଯାଉଥିଲେ ।

ପ୍ରାରମ୍ଭିକ ଭାବରେ ଉଦ୍ଧାର କାର୍ଯ୍ୟ ସମୟରେ ରାୱତଙ୍କ ସମେତ ୩ ଜଣଙ୍କୁ ଉଦ୍ଧାର କରାଯାଇ ୱେଲିଂଟନ୍ ଏୟାର ବେସରେ ଭର୍ତ୍ତି କରାଯାଇଥିବା ନେଇ ଖବର ଆସିଥିଲା । ତେବେ ମିଳିଥିବା ଶେଷ ଖବର ଅନୁଯାୟୀ ୧୩ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

Get real time updates directly on you device, subscribe now.