fbpx

ଗ୍ୟାସ୍ ସିଲିଣ୍ଡର ପାଇଁ ସବସିଡି ଘୋଷଣା କଲେ କେନ୍ଦ୍ର ସରକାର, ୯ କୋଟିରୁ ଅଧିକ ଲୋକଙ୍କୁ ମିଳିବ ଫାଇଦା

Advertisement

ନୂଆଦିଲ୍ଲୀ: ଜନସାଧାରଣଙ୍କୁ ମହଙ୍ଗା ମାଡ଼ରୁ ନିସ୍ତାର ପାଇଁ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସରକାର ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କ ପାଇଁ ନୂଆ ସବସିଡି ଘୋଷଣା କରିଛନ୍ତି । ଏହାର ଫାଇଦା ୯ କୋଟିରୁ ଅଧିକ ଲୋକଙ୍କୁ ମିଳିବ । ତେବେ ଏହି ସବସିଡି କେବଳ ୧୨ଟି ସିଲିଣ୍ଡର ପର୍ଯ୍ୟନ୍ତ ପ୍ରଦାନ କରାଯିବ ବୋଲି କୁହାଯାଇଛି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ, ଏହି ସବସିଡି କେବଳ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀଙ୍କୁ ମିଳିବ । ପ୍ରତ୍ୟେକ ଲାଭାର୍ଥୀ ପ୍ରତି ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କାର ସବସିଡି ପାଇବେ । ସୂଚନାଯୋଗ୍ୟ ଯେ, ରୋଷେଇ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଏଲପିଜି ସିଲିଣ୍ଡରର ମୂଲ୍ୟ ଗତ ୧୯ ତାରିଖରେ ୩.୫୦ ଟଙ୍କା ବୃଦ୍ଧି ପାଇଥିଲା । ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ଏଲପିଜି ସିଲିଣ୍ଡରର ଦାମ୍ ବଢ଼ିଥିଲା ।

ସେହିପରି କେନ୍ଦ୍ର ସରକାର ପେଟ୍ରୋଲ ଉପରୁ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୮ ଟଙ୍କା ଓ ଡିଜେଲ ଉପରୁ ୬ ଟଙ୍କା ହ୍ରାସ କରିଛନ୍ତି । ଏହାଦ୍ୱାର ପେଟ୍ରୋଲ ଦର ଲିଟର ପିଛା ୯.୫ ଟଙ୍କା ଓ ଡିଜେଲ ଲିଟର ପିଛା ୭ ଟଙ୍କା ହ୍ରାସ ପାଇବ । କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ଫଳରେ ଜନସାଧାରଣଙ୍କୁ ମହଙ୍ଗା ମାଡ଼ରୁ ନିସ୍ତାର ମିଳିବ । ଆସନ୍ତାକାଲି ସକାଳ ୬ଟା ଠାରୁ ଏହି ନୂଆ ଦର ଲାଗୁ ହେବ ବୋଲି ଜଣାପଡ଼ିଛି । ତୈଳ ଦର ହ୍ରାସ ନେଇ ଗତ କିଛିଦିନ ଧରି ବିପକ୍ଷ ଦଳଗୁଡ଼ିକ ପକ୍ଷରୁ ବାରମ୍ବାର ଦାବି କରାଯାଉଥିଲା ।

Get real time updates directly on you device, subscribe now.