fbpx

ପୁଣି ସରକାରୀ କର୍ମଚାରୀଙ୍କୁ ଉପହାର ଦେବେ କେନ୍ଦ୍ର ସରକାର: HRA ବୃଦ୍ଧି ନେଇ ଆସିଲା ଖୁସି ଖବର

ନୂଆଦିଲ୍ଲୀ: ଗତ ମାସ ନବରାତ୍ରି ଅବସରରେ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିଥିଲେ । ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ୪୨ ପ୍ରତିଶତ ଡିଏ ମିଳୁଥିବା ବେଳେ ତାହା ୪ ପ୍ରତିଶତ ବୃଦ୍ଧି ପାଇ ମୋଟ ଡିଏ ୪୬ ପ୍ରତିଶତରେ ପହଞ୍ଚିଥିଲା । ତେବେ ଏହା ମଧ୍ୟରେ ପୁଣି ଆସିପାରେ ଏକ ବଡ଼ ଖୁସି ଖବର । ଡିଏ ବୃଦ୍ଧି ପରେ ଏବେ କେନ୍ଦ୍ର ସରକାର ଘର ଭଡ଼ା ଭତ୍ତା (ଏଚଆରଏ) ବୃଦ୍ଧି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନା ମୁତାବକ, ସପ୍ତମ ବେତନ କମିଶନଙ୍କ ସୁପାରିଶରେ ଏଚଆରଏକୁ ନେଇ କିଛି ଜରୁରୀ ନିର୍ଦ୍ଦେଶ ଦିଆଯାଇଛି । ତାହା ମୁତାବକ, ଯଦି ଡିଏ ୫୦ ପ୍ରତିଶତ ବା ତା’ଠାରୁ ଅଧିକ ହେବ ତେବେ ଏଚଆରଏ ରିଭାଇଜ୍ କରାଯିବ । ଏଚଆରଏ ବୃଦ୍ଧି ପାଇଁ ସହରଗୁଡ଼ିକୁ ତିନୋଟି କ୍ୟାଟେଗୋରୀ ଏକ୍ସ, ୱାଇ, ଜେଡରେ ବିଭକ୍ତ କରାଯାଇଥାଏ । ଯଦି କର୍ମଚାରୀ ଏକ୍ସ କ୍ୟାଟେଗୋରୀ ସହରରେ ରହୁଥିବେ ତେବେ ତାଙ୍କର ଏଚଆରଏ ବୃଦ୍ଧି ପାଇ ୩୦ ପ୍ରତିଶତ ହୋଇଯିବ । ସେହିପରି କର୍ମଚାରୀ ୱାଇ କ୍ୟାଟେଗୋରୀ ସହରରେ ରହୁଥିଲେ ତାଙ୍କର ଏଚଆରଏ ୨୦ ପ୍ରତିଶତ ଓ ଜେଡ୍ କ୍ୟାଟୋଗରୀ ସହରରେ ରହୁଥିଲେ ଏଚଆରଏ ୧୦ ପ୍ରତିଶତ ବୃଦ୍ଧି ପାଇବ ।

ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କ ଡିଏ ୫୦ ପ୍ରତିଶତ ତଳେ ରହିଛି । ଏକ୍ସ କ୍ୟାଟେଗୋରୀ ସହରରେ ରହୁଥିବା କର୍ମଚାରୀଙ୍କୁ ୨୭, ୱାଇ କ୍ୟାଟେଗୋରୀ ସହରରେ ରହୁଥିବା କର୍ମଚାରୀଙ୍କୁ ୧୮ ଓ ଜେଡ୍ କ୍ୟାଟେଗୋରୀ ସହରରେ ରହୁଥିବା କର୍ମଚାରୀଙ୍କୁ ୯ ପ୍ରତିଶତ ଏଚଆରଏ ମିଳୁଛି । ଯଦି ସବୁକିଛି ଠିକଠାକ ରୁହେ, ତେବେ କେନ୍ଦ୍ର କର୍ମଚାରୀଙ୍କୁ ନୂଆ ବର୍ଷ ପୂର୍ବରୁ ଏଚଆରଏ ବୃଦ୍ଧି ନେଇ ଖୁସି ଖବର ମିଳିପାରେ । ସରକାର ୨୦୨୪ର ପ୍ରଥମ ୬ ମାସ ପାଇଁ ଡିଏ ମଧ୍ୟ ବୃଦ୍ଧି କରିବାର ଅନୁମାନ କରାଯାଉଛି । ଡିଏ ୫୦ ପ୍ରତିଶତ ହୋଇଗଲେ ୨୦୨୪ ବର୍ଷରେ ଏଚଆରଏ ବାବଦରେ କର୍ମଚାରୀଙ୍କୁ ଖୁସିଖବର ମିଳିପାରିବ ।

Get real time updates directly on you device, subscribe now.