fbpx

ଚାପମୁକ୍ତ ହେବେ ମାଟ୍ରିକ ଛାତ୍ରଛାତ୍ରୀ: ସ୍ୱତନ୍ତ୍ର ସେଲ ଗଠନ ପାଇଁ ଓସେପା ନେଲା ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: କିଛି ମାସ ପରେ ରାଜ୍ୟରେ ମାଟ୍ରିକ ପରୀକ୍ଷା । ଏହି ସମୟରେ ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ବେଶ ଉଦବିଗ୍ନ ହୋଇଉଠନ୍ତି । ଏପରି ସ୍ଥିତିରେ ବିଭିନ୍ନ ମାନସିକ ଚାପର ମଧ୍ୟ ଶିକାର ହୁଅନ୍ତି ଛାତ୍ରଛାତ୍ରୀ । ତେବେ ଏହି ଛାତ୍ରଛାତ୍ରୀମାନଙ୍କୁ ଚାପମୁକ୍ତ କରିବା ପାଇଁ ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) କାର୍ଯ୍ୟାଳୟରେ ଖୋଲିବାକୁ ଯାଉଛି ଏକ ସ୍ୱତନ୍ତ୍ର ସେଲ ।

ଏହି ସେଲ ଫେବ୍ରୁଆରି ପହିଲାରୁ କାର୍ଯ୍ୟକ୍ଷମ ହେବା ନେଇ ସୂଚନା ମିଳିଛି । ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପକ୍ଷରୁ କରାଯାଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏଠାରେ ପରାମର୍ଶ ଦିଆଯିବ । ଏ ନେଇ ବୁଧବାର ଓସେପା ସମ୍ମିଳନୀ କକ୍ଷରେ ଆଯୋଜିତ ଏକ କର୍ମଶାଳାରେ ନିଷ୍ୱତ୍ତି ନିଆଯାଇଛି ।

ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଅଶ୍ୱଥୀ ଏସ. କହିଥିଲେ- “ପିଲାମାନଙ୍କର ଶିକ୍ଷାଗତ ଉନ୍ନତି ଏବଂ ଦକ୍ଷତା ବିକାଶ ପାଇଁ ପରୀକ୍ଷା ଏକ ପ୍ରକ୍ରିୟା ମାତ୍ର । ଏହାକୁ ନେଇ ମାନସିକ ଚାପଗ୍ରସ୍ତ ହେବା ଅନୁଚିତ । ଏଥିପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନେ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବା ସହ ଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବା ଆବଶ୍ୟକ ।

ଏହି କର୍ମଶାଳାରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହାଙ୍କ ସମେତ ମୋ’ ସ୍କୁଲ ଅଭିଯାନ, ୟୁନିସେଫ, ୟୁଏନଏଫପିଏ କର୍ମକର୍ତ୍ତା, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କୁ ଅଭିଭାବକମାନେ ମାନସିକ ଚାପ ଦେବା ଉଚିତ ନୁହେଁ । ପିଲାଙ୍କ ସମସ୍ୟାକୁ ବୁଝି ତାହାର ସମାଧାନ କରିବା ଆବଶ୍ୟକ । ଏତି ସହିତ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ସମୟରେ ପାଠ୍ୟକ୍ରମ ଶେଷ କରି ପିଲାମାନଙ୍କ ମାନସିକ ସ୍ତିତି ଉପରେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.