ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ନୂଆ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ପାଇଥିବା ସୁନୀଲ ବଂଶଙ୍କୁ ଓଡ଼ିଶା ଫେରିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଏବେ ମୁମ୍ବାଇରେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ସୁନିଲ ନୂଆ ବର୍ଷରୁ ଏହି ଦାୟିତ୍ୱ ସମ୍ଭାଳିବେ । ବର୍ତ୍ତମାନ ରାଜ୍ୟର ଡିଜିପି ଦାୟିତ୍ୱ ତୁଲାଉଥିବା ଅଭୟଙ୍କ କାର୍ଯ୍ୟକାଳ ଆସନ୍ତା ୩୧ ତାରିଖରେସମାପ୍ତ ହେଉଥିବାରୁ ଗତ ୧୫ ତାରିଖରେ ରାଜ୍ୟ ସରକାର ସୁନିଲଙ୍କ ନାମ ଏହି ପଦବୀ ପାଇଁ ଘୋଷଣା କରିଥିଲେ ।
ସୁନୀଲ ହେଉଛନ୍ତି ୧୯୮୭ ବ୍ୟାଚର ଆଇପିଏସ୍ ଅଧିକାରୀ । ସେ ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାର ଏସପି ଭାବେ କାର୍ଯ୍ୟ କରିଥିବା ବେଳେ ୨୭ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ସୁନୀଲ କହିଥିଲେ ଯେ, ପୋଲିସ ବିଭାଗରେ ରହିଥିବା ବିଭିନ୍ନ ସମସ୍ୟାକୁ ଦୂର କରିବା ନେଇ ସେ କାର୍ଯ୍ୟ କରିବେ । ଲୋକଙ୍କ ମନରେ ପୋଲିସ ପ୍ରତି ଥିବା ଭୟ ଦୂର କରିବା ସହ ଜନସାଧାରଣଙ୍କୁ କିପରି ନ୍ୟାୟ ମିଳିବ ତା’ ଉପରେ ଫୋକସ୍ ରହିବ । ରାଜ୍ୟରେ ଚାଲିଥିବା ସାଇବର କ୍ରାଇମ, ନିଶା କାରବାର ଓ ମାନବ ଚାଲାଣକୁ ରୋକିବା ନେଇ ସେ ପଦକ୍ଷେପ ନେବେ ବୋଲି କହିଥିଲେ । ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଚଳିତ ମାସରେ ସରୁଥିବାରୁ ପୂର୍ବରୁ ଏହି ପଦକୁ ନେଇ କିଛି ବରିଷ୍ଠ ଅଧିକାରୀଙ୍କ ନାମ ଚର୍ଚ୍ଚାକୁ ଆସିଥିଲା । ସେମାନଙ୍କ ମଧ୍ୟରେ ସୁନୀଲ, ମନୋଜ ଛାବ୍ରା ଓ ସନ୍ତୋଷ ଉପାଧ୍ୟାୟଙ୍କ ନାମ ଆଗରେ ରହିଥିଲା । ନୂଆ ଡିଜିପି ପଦ ପାଇଁ ରାଜ୍ୟ ସରକାର ୧୪ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କ ନାମ ସଙ୍ଘୀୟ ଲୋକସେବା ଆୟୋଗ (ୟୁପିଏସସି)କୁ ସୁପାରିସ କରିଥିଲେ । ୟୁପିଏସସି କମିଟି ସିଲେକ୍ସନ କରି ଏହି ୩ ଜଣଙ୍କ ନାମ ରାଜ୍ୟ ସରକାରଙ୍କ ପାଖକୁ ପଠାଇଥିଲା ।