fbpx

ବିକ୍ରି ହୋଇଯିବ NALCO ଓ HCL, ଖୁବଶୀଘ୍ର ମିଳିବ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ (ନାଲକୋ)ର ଅଂଶଧନ ବିକ୍ରି କରିବାକୁ ଯାଉଛନ୍ତି । ଏହି ପ୍ରସ୍ତାବକୁ ଖୁବଶୀଘ୍ର କ୍ୟାବିନେଟ ମଞ୍ଜୁରୀ ମିଳିବ । ଏଥିସହ ହିନ୍ଦୁସ୍ତାନ କପର ଲିମିଟେଡ (ଏଚସିଏଲ)ର ଅଂଶଧନ ମଧ୍ୟ ବିକ୍ରି କରାଯିବ ବୋଲି ଜଣାପଡ଼ିଛି । ଧାତବ ସାମଗ୍ରୀର ଦାମ ବର୍ତ୍ତମାନ ଉଚ୍ଚସ୍ତରରେ ରହିଥିବାରୁ ଏହି ସମୟରେ ଅଂଶଧନ ବିକ୍ରି କଲେ ସରକାରଙ୍କୁ ଅଧିକ ଲାଭ ମିଳିବ ବୋଲି କୁହାଯାଉଛି । ଏନେଇ ଯୋଜନା ପ୍ରସ୍ତୁତି ନେଇ କେନ୍ଦ୍ର ଖଣି ମନ୍ତ୍ରଣାଳୟ କାର୍ଯ୍ୟ କରୁଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ନାଲକୋରେ ଭାରତ ସରକାରଙ୍କ ୫୧.୨୮ ପ୍ରତିଶତ ଓ ହିସ୍ତୁସ୍ତାନ କପରରେ ୬୬.୧୪ ପ୍ରତିଶତ ଅଂଶଧନ ରହିଛି । ଆସନ୍ତା ୨୦୨୨ ମାର୍ଚ୍ଚ ୩୧ରେ ଏନେଇ କାମ ଶେଷ ହେବ ଓ ସେହି ସମୟ ଭିତରେ ଅଂଶଧନ ବିକ୍ରି ଲାଗି ଆବଶ୍ୟକ ସମସ୍ତ ମଞ୍ଜୁରୀ ହାସଲ କରାଯିବ । କେଉଁସବୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଅଂଶଧନ ବିକ୍ରିହେବ, ତା’ର ତାଲିକା ନିତି ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଉଛି । ତେବେ ଏହିସବୁ ସଂସ୍ଥାଗୁଡ଼ିକକୁ ସମ୍ପୂର୍ଣ୍ଣ ଘରୋଇକରଣ ନକରି ସରକାର ନିଜର କିଛି ଅଂଶଧନ ଏଥିରେ ରଖିବେ ବୋଲି ଜଣାପଡ଼ିଛି । ୧୭ଟି ସଂସ୍ଥାର ଅଂଶଧନକୁ ବିକ୍ରି ପାଇଁ ଗତ ସପ୍ତାହରୁ ଉଦ୍ୟମ ଆରମ୍ଭ ହୋଇଯାଇଛି । ପ୍ରୋଜେକ୍ଟ ଆଣ୍ଡ ଡେଭଲପମେଣ୍ଟ ଇଣ୍ଡିଆ, ଇଞ୍ଜିନିୟରିଂ ପ୍ରୋଜେକ୍ଟ, ବିଇଏମଏଲ, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ, କଣ୍ଟେନର କର୍ପୋରେସନ ଅଫ୍ ଇଣ୍ଡିଆ ଓ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡର ଅଂଶଧନ ବିକ୍ରି କରାଯିବ । ୧୯ ବର୍ଷ ପରେ ପ୍ରଥମ ଥର ଲାଗି କୌଣସି ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ କରାଯାଉଛି । ଚଳିତ ଆର୍ଥିକ ବର୍ଷରେ ସରକାର ୧.୭୫ ଲକ୍ଷ କୋଟି ଟଙ୍କା ଯୋଗାଡ଼ ନେଇ ବଜେଟରେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

Get real time updates directly on you device, subscribe now.