fbpx

କରୋନା ଏବେ ଜୀବିତ ନା ମୃତ: ଭାଇରସର ଉପସ୍ଥିତି ବିଷୟରେ ଜାଣିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିବେ ଜଳ ପରୀକ୍ଷଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାଖାପାଖି ୩ ବର୍ଷ ଧରି ସାରା ବିଶ୍ୱକୁ ନିଜର ଭୟଙ୍କର ମାୟାଜାଲରେ ଥରହର କରିଦେଇଥିଲା କରୋନା ଭାଇରସ । ତେବେ ବର୍ତ୍ତମାନ ମଧ୍ୟ ଭାଇରସକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଆଶଙ୍କା ସମ୍ପୂର୍ଣ୍ଣ ଭାବେ ହଟିନାହିଁ । ନିକଟରେ ଚୀନରେ ପୁଣି ଥରେ ଭାଇରସର ପ୍ରକୋପ ବଢ଼ିବା ସହିତ ଏହା ବିଶ୍ୱର ବିଭିନ୍ନ ଦେଶକୁ ମାଡ଼ି ଯାଇଥିଲା ।

ଗତ ୨୦୨୧ ମସିହା ଜୁନ ମାସରେ ଗୁଜରାଟରେ ପ୍ରବାହିତ ହେଉଥିବା ସାବରବତୀ ନଦୀ ଜଳରୁ କରୋନା ଭାଇରସ୍ ଚିହ୍ନଟ ହୋଇଥିଲା । ଭାଇରସ ଚିହ୍ନଟ ପରେ ନଦୀରେ ଶହ ଶହ ମୃତ ମାଛ ଭାସୁଥିବାର ଦେଖାଯାଇଥିଲା । ତା’ ପୂର୍ବରୁ ଗଙ୍ଗାନଦୀ ସମେତ କିଛି ଶାଖା ନଦୀରେ ମଧ୍ୟ କରୋନାର ଉପସ୍ଥିତି ବିଷୟରେ ପରୀକ୍ଷାରୁ ସ୍ପଷ୍ଟ ହୋଇଥିଳା । ପ୍ରାକୃତିକ ଜଳରେ ମଧ୍ୟ ଭାଇରସ୍ ବଞ୍ଚିପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ ।

ତେବେ ସ୍ୱେରେଜ ପାଣିରେ କରୋନା ଭାଇରସର ଉପସ୍ଥିତି ବିଷୟରେ ଜାଣିବା ପାଇଁ ଗତବର୍ଷ ଅଗଷ୍ଟ ମାସରେ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ଲାଇନ୍ସେସ (ଆଇଏଲଏସ) ପକ୍ଷରୁ ଗବେଷଣା ଆରମ୍ଭ କରାଯିବ ବୋଲି କୁହାଯାଇଥିଲା । ସେହିପରି ପରବର୍ତ୍ତୀ ସମୟରେ ସେପ୍ଟେମ୍ବର ମାସରେ ଆଞ୍ଚଳିକ ଭେଷଜ ଗବେଷଣା ପ୍ରତିଷ୍ଠାନ (ଆରଏମଆରସି) ପକ୍ଷରୁ ମଧ୍ୟ କଟକ, ଭୁବନେଶ୍ୱର ସହିତ ଦକ୍ଷିଣ ଓଡ଼ିଶାର କିଛି ସହରର ସ୍ୱେରେଜ ପାଣି ପରୀକ୍ଷା କରାଯିବ ବୋଲି କୁହାଯାଇଥିଲା ।

ଆବର୍ଜନ ଜଳରେ କରୋନା ଭାଇରସର ସକ୍ରିୟତା ବିଷୟରେ ଜାଣିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏନେଇ ଏକ ବୈଠକରେ ଅଂଶଗ୍ରହଣ କରିଥିଲେ । ମଣିଷଠାରୁ ବାହାରୁଥିବା ବର୍ଜ୍ୟଜଳ ଓ ଆବର୍ଜନାକୁ ପରୀକ୍ଷା କରାଯାଇ କରୋନାର ଉପସ୍ଥିତି ବିଷୟରେ ତର୍ଜମାନ କରାଯିବ । ଶରୀରରେ ଜଳୀୟ ପଦାର୍ଥ ମାଧ୍ୟମରେ ଜୀବାଣୁମାନେ ସଂକ୍ରମିତ ହୁଅନ୍ତି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ପ୍ରକୃତରେ କରୋନା ଭାଇରସ ଏବେ ଅଛି ନା ନାହିଁ, ମଣିଷଠାରୁ ମଣିଷକୁ ତାହା ସଂକ୍ରମିତ ହେଉଛି ନା ନାହିଁ, ତାହା ଜାଣିବା ପାଇଁ ସାରା ଦେଶରେ ସର୍ଭେ ଆରମ୍ଭ ହୋଇଛି । ଏପରି ସ୍ଥିତିରେ ଖୁବଶୀଘ୍ର ପଶ୍ଚିମବଙ୍ଗରେ ଆବର୍ଜନା ଜଳର ନମୂନା ସଂଗ୍ରହ କରି ପରୀକ୍ଷା କରାଯିବ । ଏହାପରେ ଭାଇରସ ବିଷୟରେ ସମସ୍ତ ତଥ୍ୟ ସାମ୍ନାକୁ ଆସିପାରିବ । ଏହା ପୂର୍ବରୁ ଦେଶର କିଛି ମହାନଗରରେ ଆର୍ବର୍ଜନା ଜଳ ନମୂନା ପରୀକ୍ଷା କରାଯାଇଥିଲା । ଆଗାମୀ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ବର୍ଜ୍ୟଜଳ ଉପରେ ସର୍ଭେ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.