ଦେଶର ୬ ଲକ୍ଷ ୪୦ ହଜାର ଗ୍ରାମକୁ ଇଣ୍ଟରନେଟ୍‍ ସଂଯୋଗ ପାଇଁ ୧,୩୯, ୫୦୦ କୋଟି ଟଙ୍କାର ବ୍ୟୟ ବରାଦ, ସୃଷ୍ଟି ହେବ ଅଢ଼େଇ ଲକ୍ଷ ନିଯୁକ୍ତି

ନୂଆଦିଲ୍ଲୀ: ଦେଶର ୬ ଲକ୍ଷ ୪୦ ହଜାର ଗ୍ରାମକୁ ଇଣ୍ଟରନେଟ୍‍ ସେବା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ୧ ଲକ୍ଷ ୩୯ ହଜାର ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଭାରତ ନେଟ୍‍ ପ୍ରକଳ୍ପ ଅଧୀନରେ ଆସନ୍ତା ୨ ବର୍ଷ ମଧ୍ୟରେ ଏହି ସବୁ ଗାଁକୁ ଇଣ୍ଟରନେଟ୍‍ ସୁବିଧା ଯୋଗାଇ ଦିଆଯିବ । ଗତ ୮ ମାସ ମଧ୍ୟରେ ପାଇଟଲ୍‍ ପ୍ରକଳ୍ପ ଭାବେ ଦେଶର ୬୦ ହଜାର ଗ୍ରାମପଞ୍ଚାୟତକୁ ଇଣ୍ଟରନେଟ୍‍ ସେବା ଯୋଗାଇ ଦିଆଯାଇଥିବା କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ କହିଛି । ଭାରତ ନେଟ୍‍ ଜରିଆରେ ୧ ଲକ୍ଷ ୯୪ ହଜାର ଗ୍ରାମର ୫ ଲକ୍ଷ ୬୭ ହଜାର ପରିବାର ଏବେ ଇଣ୍ଟରନେଟ୍‍ ସୁବିଧା ପାଇପାରୁଛନ୍ତି ।

ଏହି ନୂତନ ସମ୍ପ୍ରସାରିତ କାର୍ଯ୍ୟକ୍ରମ ଦ୍ୱାରା ପ୍ରାୟ ଅଢ଼େଇ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ମେକ୍‍ ଇନ୍‍ ଇଣ୍ଡିଆ ପଦକ୍ଷେପ ଅଧୀନରେ ଭାରତ ନେଟ୍‍ ମାଧ୍ୟମରେ ବିଶ୍ୱର ସର୍ବବୃହତ୍‍ ଗ୍ରାମୀଣ ବ୍ରଡବ୍ୟାଣ୍ଡ୍‍ ସଂଯୋଗ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।