ପାକିସ୍ତାନରେ ହେବନି ଚାମ୍ପିୟନ୍ସ ଟ୍ରଫି! ସାମ୍ନାକୁ ଆସିଲା ବଡ଼ ତଥ୍ୟ

ବାହାଘର ବେଳେ ବାଇଗଣ ରୁଆ। ଚାମ୍ପିୟନ୍ସ ଟ୍ରଫି ଆୟୋଜନରେ ପାକିସ୍ତାନ ଅସଫଳ। ସରିନି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ।

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପୂର୍ବରୁ ସାମ୍ନାକୁ ଆସୁଛି ବଡ଼ ତଥ୍ୟ। ଫେଲ୍ ମାରିବାକୁ ଯାଉଛି ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ଯେଜନା।

ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ପାକିସ୍ତାନର ୩ଟି ଷ୍ଟାଡିୟମର କାମ ଶେଷ ହୋଇନାହିଁ। ଏହି ଷ୍ଟାଡିୟମଗୁଡ଼ିକର ନିର୍ମାଣ କାର୍ଯ୍ୟ ଚାଲିଛି।

ସରିନି ଷ୍ଟାଡିୟମ କାମ: ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନର ୩ଟି ଷ୍ଟାଡିୟମ ର ନିର୍ମାଣ ଅଗଷ୍ଟ ୨୦୨୪ରେ ଆରମ୍ଭ ହୋଇଥିଲା, ଡିସେମ୍ବର ୩୧ ସୁଦ୍ଧା ଏହା ଶେଷ ହେବାର ଥିଲା, କିନ୍ତୁ ତାହା ସରିନାହିଁ ।

ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଖରାପ ବ୍ୟବସ୍ଥାର ପରିଣାମ ଭୋଗିବାକୁ ପଡ଼ିପାରେ। ତେଣୁ ପାକିସ୍ତାନକୁ ଚାମ୍ପିୟନ୍ସ ଟ୍ରଫି ଆୟୋଜନରେ ହାରିବାକୁ ପଡ଼ିପାରେ ବୋଲି ଅନୁମାନ କରାଯାଉଛି।

ଆଇସିସି ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବାକୁ ଆଉ ମାତ୍ର ୩୫ ଦିନ ବାକି ରହିଛି। କିନ୍ତୁ ଏହା ପୂର୍ବରୁ ପଡ଼ୋଶୀ ଦେଶରୁ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସୁଛି।

ପିସିବିକୁ ଅଲଟିମେଟମ: ଯଦି ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କୁ ଛଡ଼ାଇ ନେଇଯାଏ ତେବେ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ଆୟୋଜନ କରିବାର ସୁଯୋଗ ପାଇପାରେ ବୋଲି ବିଶ୍ୱାସ କରାଯାଉଛି।

ତେବେ ଏହା ପୂର୍ବରୁ ଆଇସିସି ପାକିସ୍ତାନ କ୍ରିକେଟ ବୋର୍ଡକୁ ଅଲଟିମେଟମ ଦେଇଛି। ଯେକୌଣସି ପରିସ୍ଥିତିରେ ଅସମ୍ପୂର୍ଣ୍ଣ ଷ୍ଟାଡିୟମର କାମ ଜାନୁଆରି ୨୫ ସୁଦ୍ଧା ଶେଷ କରିବାକୁ କୁହାଯାଇଛି।

ଏହାପରେ ଆଇସିସି ଅଧିକାରୀମାନେ ଏହି ଷ୍ଟାଡିୟମ ଗୁଡ଼ିକର ସମୀକ୍ଷା କରିବେ। ଏହାପରେ ଷ୍ଟାଡିୟମ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ପ୍ରସ୍ତୁତ ଅଛି କି ନାହିଁ ତାହା ସେମାନେ ନିଜ ରିପୋର୍ଟରେ କହିବେ।