fbpx

ଚନ୍ଦ୍ରରୁ ଭିଡିଓ ପଠାଇଲା ଚନ୍ଦ୍ରଯାନ-୩, ଜାଣନ୍ତୁ ଏଥିରେ ସବୁ କଣ ଦେଖାଯାଉଛି…

ଓଡିଶା ଭାସ୍କର; ସଫଳତାର ଆଉ ଏକ ସୋପାନ ଅତିକ୍ରମ କରିଛି ଭାରତର ଚନ୍ଦ୍ରଯାନ-୩ । ଲୋୟର ଅର୍ବିଟରେ ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡରର ଡିବୁଷ୍ଟିଂ ସଫଳ ହୋଇଛି । ଗତି ହ୍ରାସ ସହ ଦୂରତ୍ୱ କମାଇବା ପାଇଁ ଡିବୁଷ୍ଟିଂ କରାଯାଇଛି । ଏହାପରେ ସର୍ବନିମ୍ନ ୧୧୩ କି.ମି. ଏବଂ ସର୍ବାଧିକ ୧୫୭ କି.ମି.କୁ ଏହାର କକ୍ଷପଥ ହ୍ରାସ କରାଯାଇଛି । ଆସନ୍ତା ଅଗଷ୍ଟ ୨୦ରେ ଦ୍ୱିତୀୟ ଥର ପାଇଁ ଚନ୍ଦ୍ରଯାନର ଡିବୁଷ୍ଟିଂ ହେବ ବୋଲି ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଚନ୍ଦ୍ରପୃଷ୍ଠର ୨ଟି ନୂଆ ଭିଡିଓ ଉତ୍ତୋଳନ କରି ପଠାଇଛି ଚନ୍ଦ୍ରାୟନ-୩ର ଲ୍ୟାଣ୍ଡର୍ । ଅଗଷ୍ଟ ୧୫ରେ ଗୋଟିଏ ଭିଡିଓ ଉତ୍ତୋଳନ କରାଯାଇଥିବା ବେଳେ ଦ୍ୱିତୀୟ ଭିଡିଓଟି ଅଗଷ୍ଟ ୧୭ ତାରିଖରେ ଉତ୍ତୋଳନ କରାଯାଇଛି ବୋଲି ସୂଚନା ମିଳିଛି । ବର୍ତ୍ତମାନ ଲ୍ୟାଣ୍ଡରର କାମ ରହିଛି କେବଳ ଫଟୋ ବା ଭିଡିଓ ଉତ୍ତୋଳନ କରିବା, ଅବତରଣ ପରେ ଲ୍ୟାଣ୍ଡରର ଅନ୍ୟାନ ବୈଜ୍ଞାନିକ କାମ ରହିବ ।

ଅଗଷ୍ଟ ୧୭ ତାରିଖର ଆସିଥିବା ଦ୍ୱିତୀୟ ଭିଡିଓଟି ଲ୍ୟାଣ୍ଡର ଏବଂ ପ୍ରପଲ୍ସନ ମଡ୍ୟୁଲ ଅଲଗା ହେବା ଠିକ୍ ପରର ଭିଡିଓ । ଏହାକୁ ଲ୍ୟାଣ୍ଡର ଇମେଜ୍ କ୍ୟାମେରା-୧ ସହାୟତାରେ ରେକର୍ଡ କରାଯାଇଛି । ଉଭୟ ଭିଡିଓରେ ଚନ୍ଦ୍ରପୃଷ୍ଠକୁ ସ୍ପଷ୍ଟ ଦେଖିହେଉଛି । ସେଥିରେ ନଜର ଆସୁଛି ଚନ୍ଦ୍ରପୃଷ୍ଠରେ ଥିବା ଅସଂଖ୍ୟ ବିରାଟ ବିରାଟ ଗହ୍ୱର । ଗୋଟିଏ ଭିଡିଓରେ ପୃଥିବୀର କିଛି ଅଂଶ ମଧ୍ୟ ଦୂରରୁ ଏକ ବିନ୍ଦୁ ଭଳି ଦୃଶ୍ୟମାନ ହେଉଛି ।

ଆଉ ମାତ୍ର ୫ ଦିନ ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରୟାନ-୩ । ଚନ୍ଦ୍ରୟାନର ଲ୍ୟାଣ୍ଡର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବା ପରେ, ତା ଭିତରୁ ରୋଭର୍ ବାହାରି ୧୪ ଦିନ ଲାଗି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ । ଚନ୍ଦ୍ରଯାନ-୩ ହେଉଛି ଚନ୍ଦ୍ରଯାନ-୨ର ଏକ ଅନୁସରଣ ଅଭିଯାନ ଯାହାର ଲକ୍ଷ୍ୟ ହେଉଛି ଚନ୍ଦ୍ରରେ ଏକ ମହାକାଶଯାନ ଅବତରଣ କରିବା ଏବଂ ଚନ୍ଦ୍ର ପୃଷ୍ଠର ଅଧିକ ଅନୁସନ୍ଧାନ ପାଇଁ ଏକ ରୋଭର ନିୟୋଜିତ କରିବା। ଏହି ରୋଭର ଚନ୍ଦ୍ରର ଗଠନ ଏବଂ ଭୂବିଜ୍ଞାନ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ, ଯାହା ବୈଜ୍ଞାନିକମାନଙ୍କୁ ଆମର ନିକଟତମ ପଡ଼ୋଶୀ ଗ୍ରହର ଇତିହାସ ଏବଂ ବିବର୍ତ୍ତନ ବିଷୟରେ ଅମୂଲ୍ୟ ଜ୍ଞାନ ପ୍ରଦାନ କରିବ।

ଏହି ଅଭିଯାନ ଭାରତର ମହାକାଶ ଗବେଷଣା ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ଦର୍ଶାଉଛି ଏବଂ ଚନ୍ଦ୍ରକୁ ସଫଳତାର ସହ ଅଭିଯାନ କରିଥିବା ଆମେରିକା, ରୁଷିଆ ଏବଂ ଚୀନ୍‌ ଭଳି ଦେଶର ସମକକ୍ଷ କରାଇଛି।

Get real time updates directly on you device, subscribe now.