fbpx

BSFର କ୍ଷମତା ବୃଦ୍ଧିକୁ ନେଇ ପଞ୍ଜାବ କଂଗ୍ରେସରେ ଝଡ; ମୁହାଁମୁହିଁ ହେଲେ ଚନ୍ନି ଓ ଅମରିନ୍ଦର

ନୂଆଦିଲ୍ଳୀ: ବିଏସଏଫର କ୍ଷମତା ବୃଦ୍ଧିକୁ ନେଇ ପଞ୍ଜାବ କଂଗ୍ରେସରେ ଝଡ ସୃଷ୍ଟି ହୋଇଛି । ଏହି ନିୟମକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ମୁହାଁମୁହିଁ ହୋଇଛନ୍ତି । ଚରଣଜିତ ସିଂ ଚନ୍ନି ଓ ଉପ ମୁଖ୍ୟମନ୍ତ୍ରୀ ଏହାକୁ ବିରୋଧ କରି ଟ୍ୱିଟ୍ କରିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ନୂତନ ନିୟମ ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ । ଅନ୍ତର୍ଜାତୀୟ ସୀମାର ୫୦ କିମି ମଧ୍ୟରେ ବିଏସଏଫକୁ ସଶକ୍ତ କରିବା ଦ୍ୱାରା ପଞ୍ଜାବବାସୀ ଅଧିକ ସମସ୍ୟାର ସମ୍ମୁଖୀନ ହେବେ । ଗୃହ ମନ୍ତ୍ରାଳୟ ପକ୍ଷରୁ ତୁରନ୍ତ ଏହାକୁ ପ୍ରତ୍ୟାହାର କରନ୍ତୁ ବୋଲି ଚନ୍ନି ଟ୍ୱିଟ କରିଥିଲେ । ତେବେ ପୂୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏହି ଆଇନକୁ ସମର୍ଥନ କରିଛନ୍ତି । ବିଏସଏଫର କ୍ଷମତା ବୃଦ୍ଧି ରାଜ୍ୟକୁ ଅଧିକ ସଶକ୍ତ କରିବ । କେନ୍ଦ୍ରୀୟ ସୁରକ୍ଷା ବଳକୁ କୌଣସି ରାଜନୀତି ମଧ୍ୟକୁ ନ ଟାଣିବା ପାଇଁ ଅମରିନ୍ଦର ନିବେଦନ କରିଛନ୍ତି ।


କ୍ୟାପଟେନ ଓ ଚନ୍ନିଙ୍କ ଏହି କଳି ମଧ୍ୟରେ ଚନ୍ନିଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନୀଲ ଜାଖର । ଅକ୍ଟୋବର ୫ ତାରିଖରେ ଗୃହମନ୍ତ୍ରୀଙ୍କ ସହିତ ବୈଠକ ସମୟରେ ଚନ୍ନି ଏହି ଆଇନ ଲାଗୁ କରିବା ପାଇଁ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହି ଆଇନ ଦ୍ୱାରା ହିଁ କେନ୍ଦ୍ର ସରକାର ପଞ୍ଜାବର ୨୫ ହଜାର ବର୍ଗ କିମି ଅଞ୍ଚଳକୁ ନିୟନ୍ତ୍ରଣ କରିବ । ଚନ୍ନିଙ୍କ ଭୁଲ ନିଷ୍ପତ୍ତି ଏଥିପାଇଁ ଦାୟୀ ବୋଲି ଜାଖର ଟ୍ୱିଟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ କୌଣସି ଅନ୍ତର୍ଜାତୀୟ ସୀମାର ୧୫ କିମି ଯାଏଁ ବିଏସଏଫ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରୁଥିଲା ।

Get real time updates directly on you device, subscribe now.