(Video) ଏଣିକି ମଣିଷର ଇମୋସନ୍ ସହ କଥା ହେବ ChatGPT: ଲଞ୍ଚ୍ ହେଲା ସ୍ମାର୍ଟ ଭର୍ସନ GPT-4o

ନୂଆଦିଲ୍ଲୀ: ନିକଟରେ OpenAI ପକ୍ଷରୁ ଏକ ମେଗା ଇଭେଣ୍ଟ ‘ସ୍ପ୍ରିଙ୍ଗ ଅପଡେଟ୍ସ’ ଆୟୋଜନ କରାଯାଇଛି । ଏହି ଇଭେଣ୍ଟରେ କମ୍ପାନୀର ଚିଫ୍ ଟେକନିକାଲ ଅଫିସର (CTO) ମୀରା ମୁରାତି ନୂଆ AI ମଡେଲର ଘୋଷଣା କରିଛନ୍ତି ଯାହାର ନାମ ରହିଛି GPT-4o । ଏହା ChatGPT ନିର୍ମାଣ କରୁଥିବା କମ୍ପାନୀର ସବୁଠାରୁ ବଡ଼ ଏବଂ ଆଡଭାନ୍ସ AI ମଡେଲ ବୋଲି ଜାଣିବାକୁ ମିଳିଛି । ଭଏସ, ଟେକ୍ସଟ ଏବଂ ଇମୋଜକୁ ଖୁବ ଭଲ ଭାବରେ ବୁଝିବାରେ ସମର୍ଥ ହୋଇଛି ଏହି ନୂଆ ମଡେଲ । ଏହାବ୍ୟତୀତ କମ୍ପାନୀ ଏହି ନୂଆ ମଡେଲରେ ଇମୋସନକୁ ସପୋର୍ଟ କରିବା ପାଇଁ ମଧ୍ୟ ଫିଚର ସାମିଲ କରିଛି । ଏହାଦ୍ୱାରା ChatGPT ମଣିଷ ଭଳି ଭାବନାକୁ ବୁଝିବା ସହ ଏହାର ଉତ୍ତର ମଧ୍ୟ ଦେଇପାରିବ ।

ଦୁନିଆର ସବୁଠାରୁ ଲୋକପ୍ରିୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ମଡେଲ ChatGPT ବର୍ତ୍ତମାନ ପର୍ଯ୍ୟନ୍ତ GPT-4 ଭର୍ସନ ବ୍ୟବହାର କରୁଥିଲା । କିନ୍ତୁ ଏବେ ଏଥିରେ ପରିବର୍ତ୍ତନ କରାଯାଇ ଏହାର ନୂଆ ଏବଂ ଶକ୍ତିଶାଳୀ ଭର୍ସନ GPT-4o ଭର୍ସନକୁ ଅପଗ୍ରେଡ କରାଯାଇଛି । ଏହାର ଏଣ୍ଟ୍ରି ChatGPTକୁ ଆହୁରି ଶକ୍ତିଶାଳୀ କରିଛି । ଏଣିକି ୟୁଜରଙ୍କୁ ସେମାନଙ୍କ ପ୍ରଶ୍ନର ଉତ୍ତର କମ୍ ସମୟରେ ଏବଂ ପ୍ରାଞ୍ଜଳ ଭାବରେ ମିଳିପାରିବ । ChatGPTର ନୂଆ ଡେସ୍କଟପ୍ ଆପ୍ ବିଷୟରେ ମଧ୍ୟ ଅନେକ ଘୋଷଣା କରିଛନ୍ତି କମ୍ପାନୀର CTO ମୀରା ମୁରାତି । ଏହାବ୍ୟତୀତ ଇଭେଣ୍ଟରେ ବିଭିନ୍ନ ଏଆଇ ଫିଚର ମଧ୍ୟ ସେ ଲଞ୍ଚ୍ କରିଛନ୍ତି ।

GPT-4oରେ ଲାଗିଥିବା ‘o’ର ଅର୍ଥ ହେଉଛି ଓମିନି ମଡେଲ । ଏଥିରେ GPT-4 ଭଳି ଇଣ୍ଟେଲିଜେନ୍ସ ରହିଛି, କିନ୍ତୁ ଏହି ଭର୍ସନ ଅପେକ୍ଷା ଖୁବ ଅପଗ୍ରେଡ ଭାବରେ ଲଞ୍ଚ୍ ହୋଇଛି GPT-4o । ସେହିପରି ଏହା ପୂର୍ବ ଅପେକ୍ଷା ୫୦% କମ୍ ମୂଲ୍ୟରେ ମିଳିବା ସହିତ ୫ ଗୁଣ ହାଇ ରେଟ୍ ଲିମିଟ ସହ ଉପଲବ୍ଧ ହୋଇଛି । ଖୁବ୍ ଶୀଘ୍ର ChatGPT+ ଏବଂ ଟିମ୍ ୟୁଜର୍ସଙ୍କ ପାଇଁ GPT-4o ଜାରି କରାଯିବ । OpenAI କହିଛି ଯେ, ଏହା ଶୀଘ୍ର ଏଣ୍ଟରପ୍ରାଇଜ୍ ୟୁଜର୍ସଙ୍କ ପାଇଁ ଏହି ମଡେଲ୍ ଲଞ୍ଚ୍ ହେବ । GPT-4o ବିଶ୍ୱର ୫୦ ଟି ଭାଷାରେ କାମ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।