fbpx

କଶ୍ମୀର ଫାଇଲ୍ସ ଫ୍ରିରେ ଦେଖାଇବା ନାଁରେ ଲୋକଙ୍କୁ ଲୁଟ୍, ଆଲର୍ଟ କଲା ପୋଲିସ୍

ନୂଆଦିଲ୍ଲୀ: ବଲିଉଡ ଫିଲ୍ମ କଶ୍ମୀର ଫାଇଲ୍ସ ସଂପ୍ରତି ଖୁବ୍ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମକୁ ଦେଖିବା ପାଇଁ ହଲରେ ଦର୍ଶକଙ୍କ ଖୁବ୍ ଗହଳି ଜମୁଛି। ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମକୁ ଚାରିଆଡୁ ପ୍ରଶଂସା ମିଳୁଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫିଲ୍ମର ପ୍ରଶଂସା କରି ଦେଶରେ ଏମିତି ଫିଲ୍ମ ତିଆରି ହେବା ଉଚିତ୍ ବୋଲି କହିଛନ୍ତି। ତେବେ ଅପରାଧୀ ଏହି ଫିଲ୍ମକୁ ପାଥେୟ କରି ଲୋକଙ୍କୁ ଚୁନା ମାରିବାକୁ ଜୁଟି ଯାଇଛନ୍ତି। ସାଇବର ଠକ ଲୋକଙ୍କୁ ଫ୍ରିରେ କଶ୍ମୀର ଫାଇଲ୍ସ ଦେଖାଇବା ଲୋଭ ଦେଖାଇ ମୋବାଇଲ୍ ଫୋନ ହ୍ୟାକ୍ କରୁଛନ୍ତି। ଆଉ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କାଢି ଲୋକଙ୍କୁ ଲୁଟୁଛନ୍ତି।

ଏହି ମାମଲାରେ ନୋଏଡାର ଅତିରିକ୍ତି ଡିସିପି ଲୋକଙ୍କୁ ଏହି ଧରଣର ଲିଙ୍କ ପ୍ରତି ସତର୍କ ରହିବାକୁ ଅପିଲ୍ କରିଛନ୍ତି। ସେ କହିଛନ୍ତି ସାଇବର ଠକ କଶ୍ମୀର ଫାଇଲ୍ସର ଲିଙ୍କ ପଠାଇ ଠକିବାର ନୂତନ ଉପାୟ ଆପଣେଇଛନ୍ତି। ନୋଏଡା ଜୋନର ଡିସିପି ରଣବିଜୟ ସିଂହ କହିଛନ୍ତି, ଦିଲ୍ଲୀରେ ଅନେକ ଲୋକଙ୍କ ନିକଟକୁ କଶ୍ମୀର ଫାଇଲ୍ସ ନାମରେ ଲିଙ୍କ ଆସୁଛି। ଯେତେବେଳେ ଲୋକେ ଲିଙ୍କ ଉପରେ କ୍ଲିକ୍ କରୁଛନ୍ତି ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟି ଯାଇଛି।

ସାଇବର ଅପରାଧୀ ଫ୍ରିରେ ଫିଲ୍ମ ଦେଖାଇବା ଲୋଭ ଦେଖାଇ ମୋବାଇଲ୍ ଫୋନକୁ ଏହି ପରି ଲିଙ୍କ ପଠାଉଛନ୍ତି। ଲିଙ୍କ୍ ଖୋଲିବା ମାତ୍ରେ ମୋବାଇଲ୍ ମଧ୍ୟ ହ୍ୟାକ୍ ହୋଇ ଯାଉଛି। ମାମଲାକୁ ଗୁରୁତର ସହ ନେଇ ଦିଲ୍ଲୀ ପୋଲିସ ଏବଂ ନୋଏଡା ପୋଲିସ ଲୋକଙ୍କୁ ସତର୍କ କରିଛନ୍ତି ଏବଂ ଏହି ଧରଣର ଲିଙ୍କ୍ ଏବଂ ସାଇବର ଅପରାଧୀଙ୍କ ଲୋଭରେ ନପଡିବାକକୁ ଅପିଲ୍ କରାଯାଇଛି।

 

Get real time updates directly on you device, subscribe now.