fbpx
BJD SKY
BJD SKY

କମିଶନରେଟ୍‌ ଅଞ୍ଚଳରେ ୩ଟି ନୂଆ ଥାନାକୁ ମିଳିଲା ମଞ୍ଜୁରୀ, ଟୁଇନ୍ ସିଟି ପାଇଁ ଖୋଲିବ ସ୍ୱତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ବର-କଟକ କମିଶନରେଟ୍‌ ପୋଲିସ ଅଞ୍ଚଳରେ ୩ଟି ନୂଆ ଥାନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି । କମିଶନରେଟ୍‌ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ନିମନ୍ତେ ଏହି ଦୁଇ ସହରାଞ୍ଚଳ ପାଇଁ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିନିମନ୍ତେ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ଏହି ଶାଖା ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ ତଥା ନିଶାଦ୍ରବ୍ୟ ସଂପର୍କିତ ବିଭିନ୍ନ ଅପରାଧ ସଂପର୍କରେ ଅନୁସଂଧାନ କରି ପଦକ୍ଷେପ ନେବେ।

ସେହିପରି ଜଣେ ଡିସିପିଙ୍କ ଅଧୀନରେ ଏହି ସ୍ବତନ୍ତ୍ର ଶାଖା କାର୍ୟ୍ୟ କରିବ । ଏଥିରେ ଜଣେ ଅତିରିକ୍ତ ଡିସିପି, ୩ ଜଣ ଏସିପି, ୯ଜଣ ଇନ୍‌ସପେକ୍ଟର, ୧୨ଜଣ ସବ୍‌ଇନିସ୍‌ପେକ୍ଟର, ୩ ଜଣ ଏଏସ୍‌ଆଇ (ଯୋଗାଯୋଗ), ୩ ଜଣ କନେଷ୍ଟବଳ (ଯୋଗାଯୋଗ) ଓ ୨୭ ଜଣ କନେଷ୍ଟବଳ, ଏହିପରି ୫୯ ଜଣ କର୍ମଚାରୀଙ୍କୁ ନେଇ ଏହି ଶାଖା କାର୍ୟ୍ୟ କରିବ।

କମିଶନରେଟ୍‌ ପୋଲିସ ଅଞ୍ଚଳରେ ବର୍ଦ୍ଧିତ ଜନସଂଖ୍ୟା ଦୃଷ୍ଟିରୁ ଲୋକଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇ ଦେବା ପାଇଁ ଏହି ଅଞ୍ଚଳରେ ୩ ଗୋଟି ନୂତନ ଥାନାକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସେହି ନୂଆ ଥାନା ଗୁଡିକ ହେଲା – ପାହାଳ, ଇନ୍‌ଫୋଭାଲି ଓ ବୟାଳିଶମୌଜା/ବେଣ୍ଟକାର । ବାଲିଅନ୍ତା ଥାନା ଅଧୀନରେ କାମ କରୁଥିବା ପାହାଳ ଫାଣ୍ଡି, ଜଟଣୀ ଥାନା ଅଧୀନରେ କାମ କରୁଥିବା ଇନ୍‌ଫୋଭାଲି ଫାଣ୍ଡି ଓ କଟକ ସଦର ଥାନା ଅଧୀନରେ କାମ କରୁଥିବା ବେଣ୍ଟକାର ଫାଣ୍ଡିକୁ ଉନ୍ନୀତ କରାଯାଇ ଏହି ୩ଟି ନୂତନ ଥାନା ସୃଷ୍ଟି କରାଯାଇଛି ।

 

Get real time updates directly on you device, subscribe now.