ରାଇମୋହନଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ: ଓଲିଉଡରେ ଶୋକର ଛାୟା

ଭୁବନେଶ୍ୱର: ସାରା ଓଡିଆ ସିନେ ଜଗତରେ ଆଜି ଖେଳିଯାଇଛି ଶୋକର ଛାୟା । ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ମୃତଦେହ ମିଳିବା ପରେ ସ୍ତବ୍ଧ ହୋଇଯାଇଛି ଓଡିଶା । ତାଙ୍କ ମୃତ୍ୟୁ ଖବର ରାଜ୍ୟର ବଡ ବଡ ହସ୍ତୀଙ୍କ ଆଖିରେ ମଧ୍ୟ ଲୁହ ଭରି ଦେଇଛି । ରାଇମୋହନଙ୍କ ମୃତ୍ୟୁରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗରେ ନାଟକଠୁ ଆରମ୍ଭ କରି ଯାତ୍ରା ଏବଂ ସିନେ ଜଗତ ବିଭିନ୍ନ କ୍ଷେତ୍ରରେ ଏକ ବଡ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ୱିଟ କରି ରାଇମୋହନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କ ପାଇଁ ସମବେଦନା ଜଣାଇଛନ୍ତି ନବୀନ ପଟ୍ଟନାୟକ ।

ପ୍ରାଚୀ ବିହାର ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ଅଭିନେତା ରାଇମୋହନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଅଭିନେତା ଜଣକ କାହିଁକି ଆତ୍ମହତ୍ୟା କଲେ ବୋଲି ବର୍ତ୍ତମାନ ସୁଦ୍ଧା କାରଣ ଜଣାପଡିନି । ଅନ୍ୟପଟେ ରାଇମୋହନ ମାନସିକ ଦୁଶ୍ଚିନ୍ତାରେ ଥିଲେ ବୋଲି ଜଣାପଡିଛି ।