fbpx

ଖବର କାଗଜରେ ସମ୍ପାଦକୀୟ ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ଜାଣନ୍ତୁ କ’ଣ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ

ଭୁବନେଶ୍ୱର: ଖବର କାଗଜରେ ସମ୍ପାଦକୀୟ ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ଏ ମାଟିର କନ୍ୟା’ ଶୀର୍ଷକରେ ନବୀନ ଲେଖା ଏବେ ଖୁବ ଚର୍ଚ୍ଚା ସାଉଁଟିଛି। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚିତ ହେବ ପରେ ରାଜ୍ୟ ରାଜନୀତିରେ ଏହାର ଶ୍ରେୟ ନେବାକୁ ବିଜେପି ଏବଂ ବିଜେଡି ମଧ୍ୟରେ ଏକ ଅଦୃଶ୍ୟ ଲଢେଇ ଚାଲିଛି। ଏଥିରେ ବିଜେଡି ସାମାନ୍ୟ ଆଗରେ ଥିବା ବେଳେ କିଛି ଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ ଏକ ସମ୍ପାଦକୀୟ ଲେଖିଥିଲେ। ଯାହାକୁ କାଉଣ୍ଟର କରି ନବୀନ ଏହି ଲେଖାଟି ଲେଖିଥିବା କୁହାଯାଉଛି। ଦ୍ରୌପଦୀ ମୁର୍ମୁଙ୍କ ପ୍ରାଥୀତ୍ୱ ହେବା ଏବଂ ବିଜୟରେ ତାଙ୍କର ଏକ ଗୁରୁତ୍ୱପୂର୍ଣ ଭୂମିକା ରହିଛି ମଧ୍ୟ ସେ ଦର୍ଶାଇବାକୁ ଚାହୁଁଥିବା ଆଲୋଚନା ହେଉଛି। ଏହା ସହିତ ସେ ମହିଳାଙ୍କୁ ଆଗ୍ରାଧିକାର ଦେଉଥିବା ଏହି ଲେଖାରେ ବାରମ୍ବାର କହିଛନ୍ତି। ଯେଉଁଥିରେ ତାଙ୍କ ଦଳ ବିଜେଡି ମହିଳାଙ୍କୁ ଆଗ୍ରାଧିକାର ଦେଉଥିବା ସନ୍ଦେଶ ଲୋକମାନଙ୍କ ପାଖକୁ ଯିବା ବୋଲି ସେ ଆଶା କରୁଛନ୍ତି।

‘ଏ ମାଟିର କନ୍ୟା’ ଶୀର୍ଷକରେ ନବୀନ ଲେଖା ଏବେ ଖୁବ ଚର୍ଚ୍ଚା ସାଉଁଟିଛି। ‘ମୁଁ ଦ୍ରୌପଦୀ ମୁର୍ମୁ……..’ । ଜୁଲାଇ ୨୫ ତାରିଖ ସମୟ ପୂର୍ବାହ୍ନ ୧୦.୧୪ ମିନିଟ୍ । ଆମ ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ନୂଆଦିଲ୍ଲୀର ସଂସଦ ଭବନର ସେଣ୍ଟ୍ରାଲ ହଲ୍ ରେ ଯେତେବେଳେ ଏହି ଶବ୍ଦ ଉଚ୍ଚାରିତ ହେଉଥିଲା, ତାହା ଥିଲା ପ୍ରତ୍ୟେକ ଓଡ଼ିଆଙ୍କ ପରି ମୋ ପାଇଁ ଗୌରବର ସର୍ବଶ୍ରେଷ୍ଠ ମୁହୂର୍ତ୍ତ । ଓଡ଼ିଶା ମାଟିର କନ୍ୟା, ଜଣେ ଜନଜାତି ଝିଅ, ଜଣେ ମା’, ଜଣେ ଭଉଣୀ, ଭାରତବର୍ଷର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହେଉଥିଲେ । ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନର ଆଉ ଏକ ମହାର୍ଘ୍ୟ ଅବସର ଉପସ୍ଥିତ ହୋଇଥିଲା । ଇତିହାସର ସେହି ସ୍ୱର୍ଣ୍ଣିମ ଅବସରରେ ସାମିଲ ହେବା ଥିଲା ମୋର ସୌଭାଗ୍ୟ । ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ପକ୍ଷରୁ ସଂସଦ ଭବନର ସେଣ୍ଟ୍ରାଲ ହଲ୍ ରେ ସେଦିନର ମୋର ବିନମ୍ର ଉପସ୍ଥିତି ଥିଲା ସମସ୍ତଙ୍କ ତରଫରୁ ମହାମହିମ ରାଷ୍ଟ୍ରପତିଙ୍କୁ ସମୁଚିତ ସମ୍ମାନ ପ୍ରଦର୍ଶନ । ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ସମସ୍ତଙ୍କର ଆରାଧ୍ୟ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ଆମ ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ପରିଚୟ। ଓଡ଼ିଆ ଜାତି ତାର ସେହି ପରିଚୟରେ ଗର୍ବିତ ଓ ଗୌରବାନ୍ୱିତ । ଓଡ଼ିଆ ଜାତି ଏକ ମହାନ ଜାତି । ଓଡ଼ିଶା ଇତିହାସର ପ୍ରତିଟି ପୃଷ୍ଠାରେ ସ୍ୱାଭିମାନୀ ଓଡ଼ିଆର ଅସ୍ମିତାର କାହାଣୀ ଲିପିବଦ୍ଧ । କଳିଙ୍ଗ ଯୁଦ୍ଧ ପରେ ସମ୍ରାଟ ଅଶୋକଙ୍କୁ ଏ ମାଟି ଅହିଂସା ମନ୍ତ୍ରରେ ଦୀକ୍ଷିତ କରିଥିଲା । ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାକୁ ଶୀର୍ଷରେ ପହଞ୍ଚାଇଥିଲେ ସମ୍ରାଟ ମହାମେଘବାହନ ଐର ଖାରବେଳ । ସମ୍ରାଟ କପିଳେନ୍ଦ୍ର ଦେବ କଳିଙ୍ଗ ସାମ୍ରାଜ୍ୟକୁ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ କରିଥିଲେ । ମୋଗଲ ଓ ମରହଟ୍ଟାମାନେ ଓଡ଼ିଶାକୁ ଦଖଲ କରିବାକୁ ବାରମ୍ବାର ଉଦ୍ୟମ କରିଥିବା ସତ୍ତେ୍ୱ ନିଜ ମାଟିର ଟେକ ଓ ଜାତିର ସ୍ୱାଭିମାନ ରଖିବାକୁ ଓଡ଼ିଆ ବୀର ଆଗେଇ ଆସିଥିଲା। ନିଜ ପ୍ରାଣ ବିନିମୟରେ ମାଟି ମା’କୁ ସୁରକ୍ଷା ଦେଇଥିଲା । ସିପାହୀ ବିଦ୍ରୋହ ପୂର୍ବରୁ ଓଡ଼ିଆ ପାଇକଙ୍କ ନେତୃତ୍ୱରେ ବ୍ରିଟିଶ ବିରୋଧରେ ସଂଘଠିତ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାରତ ଇତିହାସର ଏକ ଉଲ୍ଲେଖନୀୟ ଘଟଣା ।

ଆଜି ସେହି ଓଡ଼ିଆ ଜାତିର ପରିଚୟକୁ ଭାରତବର୍ଷର ରାଜନୈତିକ ଶୀର୍ଷରେ ପହଞ୍ଚାଇ ଜଣେ ଓଡ଼ିଆ ଝିଅ ସର୍ବୋଚ୍ଚ ଆସନରେ ପ୍ରତିଷ୍ଠିତ । ଦେଶର ରାଷ୍ଟ୍ରପତି ପଦବୀ ଗ୍ରହଣ କରି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଆ ଜାତିର ପରିଚୟରେ ଆଉ ଏକ ଗରିମାମୟ ପୃଷ୍ଠା ଯୋଡ଼ି ଦେଇଛନ୍ତି । ଓଡ଼ିଶା ଆଜି ବିଭିନ୍ନ କ୍ଷେତ୍ରରେ ତା’ର ଏକ ପ୍ରଭାବଶାଳୀ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି । ଆମ ରାଜ୍ୟର ମୟୂରଭଞ୍ଜ ପରି ଏକ ସଂସ୍କୃତି ସମୃଦ୍ଧ ଜିଲ୍ଲାରେ ଜନ୍ମଗ୍ରହଣ କରି ଦେଶର ପ୍ରଥମ ନାଗରିକ ଭାବେ ଶ୍ରୀମତୀ ମୁର୍ମୁଙ୍କ ପ୍ରତିଷ୍ଠା ସାଢ଼େ ଚାରିକୋଟି ଓଡ଼ିଆଙ୍କ ଲାଗି ନିଶ୍ଚିତ ଏକ ଗର୍ବର ବିଷୟ । ଆମ ରାଷ୍ଟ୍ରପତିଙ୍କର ଅନ୍ୟତମ ବିଶିଷ୍ଟ ପରିଚୟ ହେଲା, ସେ ଜଣେ ଓଡ଼ିଆ ମହିଳା । ସମାଜରେ ମା’ ସବୁବେଳେ ଶ୍ରେଷ୍ଠ, ସୃଷ୍ଟି ଓ ଶକ୍ତର ପ୍ରତୀକ । ସେହି ମା’ ସଶକ୍ତ ହେଲେ ହିଁ ସମାଜ, ପରିବାର-ରାଜ୍ୟ ଓ ଦେଶ ସଶକ୍ତ ହୋଇଥାଏ । ସେଥିଲାଗି ମୁଁ ସବୁବେଳେ ମା’ ମାନଙ୍କୁ ସମାଜର ପ୍ରତ୍ୟେକଟି ପାହାଚରେ ଆଗକୁ ବଢ଼ି ଶୀର୍ଷତାର ସୋପାନରେ ପହଞ୍ଚାଇବାକୁ ପ୍ରୟାସ କରିଆସିଛି । ମା’ମାନେ ସଶକ୍ତ ହୁଅନ୍ତୁ ଓ ନେତୃତ୍ୱ ନିଅନ୍ତୁ ଏହି ଲକ୍ଷ୍ୟରେ ଯେତେବେଳେ ଆମେ ଆଗକୁ ବଢ଼ୁଛୁ ସେତେବେଳେ ଜଣେ ଓଡ଼ିଆ ଝିଅ ବା ଜନଜାତି ବର୍ଗର ମହିଳା ଭାବରେ ଭାରତବର୍ଷର ସର୍ବୋଚ୍ଚ ପଦବୀରେ ବସିବାର ସୁଯୋଗ ପାଇବା, ଆମ ସମସ୍ତଙ୍କ ପାଇଁ ଏକ ଗୌରବମୟ ଉପଲବ୍ଧି । ମୋ ମତରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଆମ ସମସ୍ତଙ୍କ ଲାଗି ଏକ ଐତିହାସିକ କୀର୍ତ୍ତିସ୍ତମ୍ଭ । ଭାରତବର୍ଷର ମହାମହିମ ରାଷ୍ଟ୍ରପତି ଭାବରେ ଶ୍ରୀମତୀ ମୁର୍ମୁ ଆଜି ସାର୍ବଭୌମ ଦେଶର ପ୍ରତୀକ । ଦେଶର କୋଟି କୋଟି ମା ଭଉଣୀଙ୍କ ଆଶା ଓ ଆକାଂକ୍ଷାର ପ୍ରତିବିମ୍ବ । ରାଜନୀତିରେ ମହିଳାମାନେ ଆଗକୁ ଆସନ୍ତୁ, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ହୁଅନ୍ତୁ ଏହା ଥିଲା ନବେ ଦଶକରେ ବିଜୁବାବୁଙ୍କ ଲକ୍ଷ୍ୟ । ଏଥିପାଇଁ ମହିଳାମାନଙ୍କ ନିମନ୍ତେ ସରକାରୀ ଚାକିରୀରେ ସଂରକ୍ଷଣ ସହିତ ପଞ୍ଚାୟତ ଓ ପୌରସଂସ୍ଥାମାନଙ୍କରେ ମଧ୍ୟ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରି ସାରା ଦେଶ ପାଇଁ ସେ ଉଦାହରଣ ସୃଷ୍ଟି କରିଥିଲେ । ପରବର୍ତ୍ତୀ ସମୟରେ ସେହି ସଂରକ୍ଷଣ ସୀମାକୁ ଆମେ ୫୦ ଭାଗକୁ ବୃଦ୍ଧି କରିଛୁ । ଆମର ମା’ମାନଙ୍କୁ ବହୁ ସଂଖ୍ୟାରେ ନେତୃତ୍ୱ ନେବାପାଇଁ ଏହା ସୁଯୋଗ ସୃଷ୍ଟି କରିଛି । ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମର ସଫଳତା ମୋତେ ସବୁଠାରୁ ଅଧିକ ଖୁସି ଦେଇଥାଏ ।

ମୁଁ ଆନନ୍ଦିତ ଯେ ଆଜି ଅନେକ ସ୍ଥାନରେ ପୁରୁଷମାନଙ୍କ ଅପେକ୍ଷା ମା’ ମାନେ ହିଁ ନେତୃତ୍ୱର ଦକ୍ଷତା ଓ ପାରଦର୍ଶିତାରେ ଆଗରେ ରହିଛନ୍ତି । ଗତ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ ଲୋକସଭା ଆସନରୁ ୭ଟି ଆସନରେ ମା’ମାନେ ହିଁ ଭାରତର ସଂସଦକୁ ପ୍ରତିନିଧିତ୍ୱ କରୁଛନ୍ତି । ଗଣତନ୍ତ୍ରର ତୃଣମୂଳସ୍ତରରେ ଆଜି ମା’ମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇଛି । ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ଓ ପୌର ଶାସନରେ ମହିଳାଙ୍କ ନେତୃତ୍ୱ ସାରା ଦେଶରେ ସର୍ବାଗ୍ରେ ରହିଛି । ଆମର ୩୦ଟି ଜିଲ୍ଲା ପରିଷଦ ମଧ୍ୟରୁ ଆଜି ୨୧ଟିରେ ମହିଳାମାନେ ଅଧ୍ୟକ୍ଷା ଦାୟିତ୍ୱ ସୂଚାରୁରୂପେ ନିର୍ବାହ କରୁଛନ୍ତି । ପଞ୍ଚାୟତ ସମିତି, ପଞ୍ଚାୟତ, ପୌରସଭା ତଥା ବିଭିନ୍ନ ୱାର୍ଡର ନେତୃତ୍ୱ ନେବା କ୍ଷେତ୍ରରେ ୫୦ ପ୍ରତିଶତରୁ ଅଧିକ ସ୍ଥାନରେ ମା’ମାନେ ହିଁ ମେୟର, ଅଧ୍ୟକ୍ଷା, ଉପାଧ୍ୟକ୍ଷା, ସଭ୍ୟା ତଥା ସରପଞ୍ଚ, ୱାର୍ଡମେମ୍ବର, କାଉନସିଲର ଓ କର୍ପୋରେଟର ଭାବରେ ନିର୍ବାଚିତ ହୋଇ ଜନସେବାରେ ନିଜକୁ ନିୟୋଜିତ ରଖିଛନ୍ତି । ସବୁଠାରୁ ବଡ଼ ଉପଲବ୍ଧି ଯେ ଆଜି ଆମର ମିଶନଶକ୍ତି କାର୍ଯ୍ୟକ୍ରମରେ ୭୦ ଲକ୍ଷରୁ ଅଧିକ ମା’ସାମିଲ ହୋଇ ନିଜକୁ ସାମାଜିକ ତଥା ଆର୍ଥିକ କ୍ଷେତ୍ରରେ ସଶକ୍ତ କରିପାରିଛନ୍ତି । ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ଲାଗି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ଲାଗି ମୋର ପ୍ରୟାସ ଜାରି ରହିଛି । ଜଣେ ଜନଜାତି ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହୁଅନ୍ତୁ ଏହା ମୋର ଏକ ବଡ଼ ଅଭିଳାଷ ଥିଲା ।ସେଥିଲାଗି ୨୦୧୨ ମସିହା ରାଷ୍ଟ୍ରପତି ନିର୍ବାଚନରେ ଭାରତ ବର୍ଷର ଜଣେ ମହାନ ଜନନେତା ତଥା ସୁଦକ୍ଷ ପ୍ରଶାସକ ଡଃ ପି.ଏ.ସାଙ୍ଗମାଙ୍କୁ ରାଷ୍ଟ୍ରପତି କରିବା ପାଇଁ ମୁଁ ପ୍ରସ୍ତାବ ଦେଇଥିଲି । ଡଃ ସାଙ୍ଗମା କେବଳ ଆଦିବାସୀ ବର୍ଗର ନୁହଁନ୍ତି, ସମାଜର ସବୁ ବର୍ଗର ଲୋକଙ୍କର ଜଣେ ସମ୍ମାନସ୍ପଦ ନେତା ଥିଲେ । ମେଘାଳୟର ମୁଖ୍ୟମନ୍ତ୍ରୀ, ଜଣେ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭାର ବାଚସ୍ପତିଭାବରେ ସେ ତାଙ୍କ ପ୍ରତିଭାର ପରିଚୟ ଦେଇଥିଲେ । ସମଗ୍ର ଭାରତ ବର୍ଷରେ ସେ ଜଣେ ସୁପ୍ରତିଷ୍ଠିତ ତଥା ଆଦରଣୀୟ ବ୍ୟକ୍ତିତ୍ୱ ଥିଲେ । ତେଣୁ ତାଙ୍କୁ ଭାରତର ରାଷ୍ଟ୍ରପତି କରିବା ଦିଗରେ ସମସ୍ତଙ୍କ ସହଯୋଗ ପାଇଁ ମୁଁ ସର୍ବୋତ୍ତମ ଉଦ୍ୟମ କରିଥିଲି ।  ଯେତେବେଳେ ପଞ୍ଚଦଶ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଚୟନରେ ଓଡ଼ିଆ ଝିଅ ତଥା ଜନଜାତି ନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ନାଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରସ୍ତାବ ଦେଲେ ଏବଂ ମୋ ସହ ଆଲୋଚନା କଲେ, ମୁଁ ସର୍ବାନ୍ତକରଣରେ ସମର୍ଥନ ଜଣାଇଥିଲି ।

ପ୍ରାର୍ଥୀ ଘୋଷଣା ହେବା ପରେ ଦଳମତ ନିର୍ବିଶେଷରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ଲାଗି ନିବେଦନ କରିଥିଲି । ଆଜି ମୁଁ ବହୁତ ଖୁସି ଯେ ମୋ ଓଡ଼ିଶାର ଜଣେ ଝିଅ, ଜଣେ ଜନଜାତି ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଦେଶର ସେହି ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ମଣ୍ଡନ କରି ମୋ ମାଟିର ଗୌରବକୁ ବୃଦ୍ଧି କରିଛନ୍ତି । ସାରା ବିଶ୍ୱକୁ, ଭାରତବର୍ଷ, ବିଶେଷ କରି ଜଗନ୍ନାଥ ଧାମର ଶାନ୍ତି, ମୈତ୍ରୀ, ଭାତୃତ୍ୱ, ସାମ୍ୟ ଓ ଏକତାର ବାର୍ତ୍ତା ଦେଇଛନ୍ତି । ସଂସଦର ସେଣ୍ଟ୍ରାଲ୍ ହଲ୍ରେ ମହାମହିମ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମୟରେ ତାଙ୍କ ଭାଷଣର ଗୋଟିଏ କଥା ମୋତେ ବେଶ୍ ପ୍ରଭାବିତ କରିଥିଲା । ସେ କହିଥିଲେ ଯେ ରାଷ୍ଟ୍ରପତି ପଦବୀକୁ ତାଙ୍କର ନିର୍ବାଚନ ପ୍ରମାଣିତ କରିଛି ଭାରତର ଗରିବ ଲୋକ ସ୍ୱପ୍ନ ଦେଖିପାରେ ଓ ସେହି ସ୍ୱପ୍ନକୁ ମଧ୍ୟ ସାକାର କରିପାରେ । ମହାମହିମ ରାଷ୍ଟ୍ରପତିଙ୍କର ଏହି ଉକ୍ତି ନିଶ୍ଚିତ ଭାବରେ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ ଓ ତାତ୍ପର୍ଯ୍ୟପୂର୍ଣ୍ଣ । ୨୦୦୦ ମସିହାରୁ ମୁଁ ଓଡ଼ିଶା ମା’ର ସେବାରେ ନିଜକୁ ସମର୍ପିତ କରିଦେଇଛି । ସେବେଠାରୁ ସମାଜର ଗରିବ, ଅବହେଳିତ, ମହିଳା ଓ ପଛୁଆ ବର୍ଗଙ୍କୁ ଆଗକୁ ଆଣିବା ପାଇଁ ସତତ ପ୍ରୟାସ ଜାରି ରଖିଛି । ବିଶେଷ କରି
ଜନଜାତି ଭାଇଭଉଣୀମାନଙ୍କ ପାଇଁ ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପରିବର୍ତ୍ତନ ଆଣି ସେମାନଙ୍କୁ ସ୍ୱପ୍ନ ଦେଖିବାର ତଥା ସେହି ସ୍ୱପ୍ନକୁ ସାକାର କରିବାର ପଥ ପ୍ରଶସ୍ତ କରିଚାଲିଛି । ଶିକ୍ଷା ରୂପାନ୍ତରର ଶକ୍ତିଶାଳୀ ମାଧ୍ୟମ । ଶିକ୍ଷା
ଜରିଆରେ ଜନଜାତି ପିଲାମାନଙ୍କୁ ସଶକ୍ତ କରି ସେମାନଙ୍କୁ ବିକାଶର ମୁଖ୍ୟଧାରାକୁ ଆଣିବା ନିମନ୍ତେ ଅନେକ କାର୍ଯ୍ୟକ୍ରମ ଜାରି ରହିଛି । ଖୁସିର କଥା ଏହାର ଫଳସ୍ୱରୂପ ଆଜି ଆମ ରାଜ୍ୟର ଅଗଣତି ଜନଜାତି ପୁଅଝିଅ ଭଲ ପାଠପଢ଼ିବାର ସୁଯୋଗ ପାଇ ବଡ଼ ହେବାର ସ୍ୱପ୍ନ ଦେଖିପାରୁଛନ୍ତି ଓ ସେହି ସ୍ୱପ୍ନକୁ ସାକାର ମଧ୍ୟ କରିପାରୁଛନ୍ତି । ସମାଜର ସବୁ ବର୍ଗର ଗରିବ ପିଲାଙ୍କୁ ବଡ଼ ହେବାର ରାସ୍ତା ପ୍ରଶସ୍ତ କରିବାରେ ଆମର ପ୍ରୟାସ ଅନେକ ଉପଲବ୍ôଧ ଆଣିପାରିଛି । ଜଣେ ଜନଜାତି ଝିଅ ଭାବରେ ଆଜିର ମହାମହିମ ରାଷ୍ଟ୍ରପତି ମୟୁରଭଞ୍ଜର ଉପରବେଡ଼ା ଗାଁରୁ ଆସି ଭୁବନେଶ୍ୱରରେ ରହି ପାଠ ପଢ଼ିବା, ସରକାରୀ ଚାକିରୀ କରିବା ସହିତ ପରବର୍ତ୍ତୀ ସମୟରେ ରାଜନୀତି କ୍ଷେତ୍ରକୁ ଆସି କାଉନ୍ସିଲର, ବିଧାୟକ, ମନ୍ତ୍ରୀ, ରାଜ୍ୟପାଳ ଏବଂ ସର୍ବୋପରି ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରି ଯେଉଁ ବିରଳ ସଫଳତା ହାସଲ କରିଛନ୍ତି ତାହା ସବୁଦିନ ପାଇଁ ଏକ ପଥ ପ୍ରଦର୍ଶକ ଉଦାହରଣ ହୋଇ ରହିବ ।

ଶେଷରେ ମୁଁ ତାଙ୍କୁ ଆଉଥରେ ଅଭିନନ୍ଦନ ଜଣାଉଛି । ଶପଥ ଗ୍ରହଣ ସମୟରେ ତାଙ୍କର ପ୍ରଥମ ସମ୍ବୋଧନରୁ ସାରା ବିଶ୍ୱକୁ ସେ ଯେଉଁ ଜଗତକଲ୍ୟାଣ ବାର୍ତ୍ତା ଦେଇଛନ୍ତି ଏବଂ ଓଡ଼ିଆ ଜାତିର ଗୌରବ ସନ୍ଥକବି ଭୀମଭୋଇଙ୍କ ଉକ୍ତିକୁ ଉଦ୍ଧୃତ କରିଛନ୍ତି, ଆଜି ତାହା ଆଉ ଥରେ ଆମ ଅସ୍ମିତାର ପ୍ରତିଷ୍ଠାକୁ ଗୌରବମଣ୍ଡିତ କରିଛି । ମୁଁ ଆଶା ରଖିବି ଆମ ସମସ୍ତଙ୍କ କାର୍ଯ୍ୟ ଓ ଭାବନାରେ ସନ୍ଥକବି ଭୀମଭୋଇଙ୍କର ସେହି ଉକ୍ତି ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ ସତତ ପ୍ରତିଫଳିତ ହେଉ ।

Get real time updates directly on you device, subscribe now.