fbpx

ଭବାନୀପାଟଣାରେ କିସ୍‌ ପକ୍ଷରୁ ପ୍ରତିଷ୍ଠିତ ସ୍କୁଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ମାଗଣାରେ ପାଠ ପଢିବେ ୧୨ଶହ ଛାତ୍ରଛାତ୍ରୀ, ମିଳିବ ସ୍ମାର୍ଟ କ୍ଲାସ ସୁବିଧା

Advertisement

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ କିସ୍‌ ପକ୍ଷରୁ ପ୍ରତିଷ୍ଠିତ ଏକ ସ୍କୁଲ ଉଦ୍‌ଘାଟନ କରିଛନ୍ତି । ଏହି ବିଦ୍ୟାଳୟରେ ୧୨୦୦ ଜନଜାତି ଛାତ୍ରଛାତ୍ରୀ ବିନା ମୂଲ୍ୟରେ ପାଠ ପଢିବାର ସୁଯୋଗ ପାଇବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ଜିଲ୍ଲାରେ ସ୍କୁଲ ଖୋଲି ଶିକ୍ଷାର ଉନ୍ନତି ପାଇଁ ବିଶେଷକରି ଜନଜାତି ପିଲାଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ କିସ୍‌ର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କଳାହାଣ୍ଡି ଏବେ ଶିକ୍ଷା କ୍ଷେତ୍ରରେ ଆଗକୁ ବଢୁଛି । ଜିଲ୍ଲାରେ ବିଶ୍ୱ ବିଦ୍ୟାଳୟ, ସରକାରୀ ଇଂଜିନିୟରିଂ କଲେଜ ଆଦି ଜିଲ୍ଲା ପାଇଁ ନୂଆ ପରିଚୟ ସୃଷ୍ଟି କରିଛି । ଶିକ୍ଷା ହିଁ ରୂପାନ୍ତରର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଶିକ୍ଷା ଉପରେ ରାଜ୍ୟ ସରକାର ସବୁଠାରୁ ଅଧିକ ଗୁରୁତ୍ୱ ଆରୋପ କରୁଛନ୍ତି । ୫-ଟି ଉପକ୍ରମରେ ସ୍କୁଲ ରୂାନ୍ତରକୁ ହିଁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

ରାଜ୍ୟରେ ୪୦୦ଟି ସ୍କୁଲର ରୂପାନ୍ତର କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳାହାଣ୍ଡି ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ୧୨୯ଟି ସ୍କୁଲର ରୂପାନ୍ତର କରାଯାଇଛି । ରୂପାନ୍ତର ପିଲାଙ୍କ ଭିତରେ ଆଗ୍ରହ, ଉତ୍ସାହ ଓ ଭବିଷ୍ୟତ ପ୍ରତି ଦୃଢ ସଂକଳ୍ପ ସୃଷ୍ଟି କରିଛି ବୋଲି ସେ କହିଥିଲେ । ଏହି ଭିଡିଓ କନ୍ଫରେନ୍ସିଂ କାର୍ଯ୍ୟକ୍ରମରେ ‘୫-ଟି’ ସଚିବ ଭି.କେ ପାଣ୍ଡିଆନ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ବସନ୍ତ ପଣ୍ଡା, ସାଂସଦ ସୁଜିତ କୁମାର, ବିଧାୟକ ପ୍ରଦୀପ ଦିଶାରୀ ପ୍ରମୁଖ ଯୋଗ ଦେଇ ଜନଜାତି ପିଲାଙ୍କ ମଧ୍ୟରେ ଶିକ୍ଷାର ପ୍ରସାର କ୍ଷେତ୍ରରେ କିସ୍‌ର ଉଦ୍ୟମ ପାଇଁ ଏହାର ପ୍ରତିଷ୍ଠାତା ତଥା ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ଉଚ୍ଚ ପ୍ରଶଂସା କରିଥିଲେ । କିସ୍‌ର ପ୍ରତିଷ୍ଠାତା ଓ ସାଂସଦ ଡଃ ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ସ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.