fbpx

ବାପାଙ୍କ କାନ୍ଧ ଆମର ଭବିଷ୍ୟତ, ନଦୀ ଜଳ ଆମର ଅତି ନିଜର: ସ୍କୁଲ ବସ, ବାଇକ୍, ସାଇକେଲ ଆମ ପାଇଁ ସ୍ୱପ୍ନ

ନୂଆଦିଲ୍ଲୀ: ସରକାର ଶିକ୍ଷା, ଗମନାଗମନ ପାଇଁ ଯେତେ ବ୍ୟବସ୍ଥା ଗ୍ରହଣ କଲେ ମଧ୍ୟ ଅନେକ ଲୋକ ଏଥିରୁ ବଞ୍ଚିତ ହେଉଛନ୍ତି । ଆଜି ବି ଦେଶର ଏପରି କିଛି ସ୍ଥାନରେ ଲୋକମାନେ ବହୁତ କଷ୍ଟରେ ଜୀବନ ଯାପନ କରୁଛନ୍ତି । ଉପଯୁକ୍ତ ଗମନାଗମନ ସୁବିଧା, ପୋଲ ନଥିବାରୁ ଲୋକମାନେ ବାଧ୍ୟହୋଇ ପିଲାମାନଙ୍କୁ କାନ୍ଧରେ ବସାଇ ନଦୀ ପାର କରାଉଛନ୍ତି । ଏନେଇ ଏକ ଭିଜୁଆଲ ସାମ୍ନାକୁ ଆସିଛି । ଶିକ୍ଷା ପାଇଁ ପିତାମାତା କେତେ କଷ୍ଟ କରୁଛନ୍ତି ତାହା ଭିଡିଓରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାସିକ ଜିଲ୍ଲାର ପେଠ ତାଲୁକା ଅଞ୍ଚଳରେ । ଏକ ନଦୀରେ ପୋଲ ନଥିବାରୁ ସ୍କୁଲ ପିଲାମାନେ ସେମାନଙ୍କର ଅଭିଭାବକଙ୍କ କାନ୍ଧରେ ବସି ପାଠ ପଢ଼ିବାକୁ ଯାଉଛନ୍ତି । କିଏ ସ୍କୁଲ ବସ୍, ବାଇକ ଓ ସାଇକେଲ ଚଢ଼ି ପାଠ ପଢ଼ିବାକୁ ଯାଉଛି ତ ଆଉ କି ବାପାଙ୍କ କାନ୍ଧ ଉପରେ ଭରସା କରିବାକୁ ବାଧ୍ୟ ହେଉଛି । ତେବେ ସ୍ଥାନୀୟ ଲୋକମାନେ ପ୍ରତିଦିନ ଏପରି ଭାବେ ପିଲାଙ୍କୁ ନଦୀ ପାର କରି ସ୍କୁଲରେ ଛାଡ଼ୁଥିବା ଜଣାପଡ଼ିଛି ।

ସ୍କୁଲରେ ପହଞ୍ଚିବା ପାଇଁ ପିଲାଙ୍କ ପାଖରେ ଏହି ନଦୀ ଛଡ଼ା ଆଉ କୌଣସି ରାସ୍ତା ନାହିଁ । ପିଲାଙ୍କ ସ୍କୁଲ ଯିବା ବହୁତ ଜରୁରୀ । ତେଣୁ ସେମାନେ ପିଲାମାନଙ୍କୁ କାନ୍ଧରେ ବସାଇ ସେମାନଙ୍କୁ ଶିକ୍ଷିତ କରିବାକୁ ପ୍ରୟାସ କରୁଛନ୍ତି । ଏନେଇ ଉକ୍ତ ଅଞ୍ଚଳରେ ଏକ ନଦୀ ପୋଲ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ପ୍ରଶାସନ ଅଞ୍ଚଳବାସୀଙ୍କ ଏହି ସମସ୍ୟାକୁ ବୁଝି ସମାଧାନ ପାଇଁ ପଦକ୍ଷେପ ନେଲେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚିର ଉପକୃତ ହୋଇପାରନ୍ତେ ।

Get real time updates directly on you device, subscribe now.