fbpx

ଏକ ଭୟଙ୍କର ବ୍ରେନ ରୋଗରେ ପୀଡ଼ିତ ଅଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ

ନୂଆଦିଲ୍ଲୀ: ବର୍ତ୍ତମାନ ଚୀନରେ କରୋନାର ସ୍ଥିତି ଅସମ୍ଭାଳ ହୋଇପଡ଼ିଥିବା ବେଳେ ସେଠାରେ କିଛି ସହରରେ ଲକଡାଉନ୍ ଲାଗୁ କରାଯାଇଛି । ତେବେ ଏହା ମଧ୍ୟରେ ଆଉ ଏକ ବଡ଼ ଖବର ଆସିଛି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏକ ଭୟଙ୍କର ରୋଗରେ ସଂକ୍ରମିତ ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ସେରେବ୍ରଲ ଏନ୍ୟୁରିଜ୍ମ ନାମକ ଏକ ଘାତକ ରୋଗରେ ପୀଡ଼ିତ ହେବା ପରେ ଜିନପିଙ୍ଗ ହସ୍ପିଟାଲରେ ଆଡମିଟ୍ ହୋଇଥିବା କୁହାଯାଉଛି ।

ଜଣାପଡ଼ିଛି ଯେ, ଗତବର୍ଷ ଶେଷାର୍ଦ୍ଧରେ ଜିନପିଙ୍ଗ ଏହି ରୋଗ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସର୍ଜରୀ ବଦଳରେ ଜିନପିଙ୍ଗ ଚୀନର ପାରମ୍ପରିକ ଔଷଧରେ ଚିକିତ୍ସିତ ହେଉଛନ୍ତି । ବେଜିଂ ୱିଣ୍ଟର ଅଲିମ୍ପିକ ପର୍ଯ୍ୟନ୍ତ ସେ କୌଣସି ବିଦେଶୀ ନେତାଙ୍କ ସହ ସାକ୍ଷାତ କରିନଥିଲେ । ତେଣୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଏହାପୂର୍ବରୁ ଗତ ୨୦୧୯ରେ ଜିନପିଙ୍ଗ ଇଟାଲି ଗସ୍ତ ସମୟରେ ଚାଲିବାରେ କଷ୍ଟ ଅନୁଭବ କରିଥିଲେ । ଏହାପରେ ଫ୍ରାନ୍ସରେ ତାଙ୍କୁ ଉଠିବା, ବସିବା ପାଇଁ ସପୋର୍ଟର ଆବଶ୍ୟକତା ପଡ଼ିଥିଲା । ୨୦୨୦ରେ ଚୀନର ଶେନଝେନ ରାଲିରେ ସେ ବହୁ ବିଳମ୍ବରେ ମଞ୍ଚରେ ପହଞ୍ଚିବା ସହ ଧୀର ସ୍ୱରରେ ଭାଷଣ ଦେଇଥିଲେ । ତେବେ ଜିନପିଙ୍ଗ ତୃତୀୟ ଥର ପାଇଁ ରାଷ୍ଟ୍ରପତି ଦାୟିତ୍ୱ ନେବା ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ତାଙ୍କର ଶାରୀରିକ ଅସୁସ୍ଥତା ନିହାତି ପକ୍ଷେ ଚିନ୍ତାଜନକ ଘଟଣା ।

ସୂଚନାଯୋଗ୍ୟ ଯେ, ସେରେବ୍ରଲ ଏନ୍ୟୁରିଜ୍ମ ହେଉଛି ବ୍ରେନ ସମ୍ବନ୍ଧିତ ଏକ ଭୟଙ୍କର ରୋଗ । ଏହା ବ୍ରେନର ଯେ କୌଣସି ଅଂଶକୁ ସଂକ୍ରମିତ କରିପାରେ । ଯେ କୌଣସି ବୟସର ଲୋକଙ୍କୁ ଏହା ସଂକ୍ରମିତ କରିପାରେ, ମାତ୍ର ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଏହା ବେଶିମାତ୍ରାରେ ପ୍ରଭାବିତ କରିଥାଏ । ଏହି ରୋଗରେ ସଂକ୍ରମିତ ହେଲେ ଷ୍ଟ୍ରୋକ, କୋମା, ମୃତ୍ୟୁ ହୋଇଥାଏ । ଏଥିସହିତ ହାଇ ବ୍ଲଡପ୍ରେସର, ସ୍ନାୟୁ ଦୁର୍ବଳ, ଚୋଟ, ଟ୍ୟୁମର ସଂକ୍ରମିତ ହୋଇଥିବା ଲୋକଙ୍କ ଠାରେ ଏହି ରୋଗର ଆଶଙ୍କା ବେଶି ରହିଥାଏ ।

Get real time updates directly on you device, subscribe now.