ଲାଞ୍ଜିଗଡ଼-ଭୁବନେଶ୍ୱର, ଜିଲ୍ଲାର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି
ଲାଞ୍ଜିଗଡ଼ ବକ୍ସାଇଟ୍ ଖଣିର ଗ୍ରାମସଭା ଆୟୋଜନ ପାଇଁ ରାଜଧାନୀରେ ଶୋଭାଯାତ୍ରା। ତୁରନ୍ତ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଦାବି ପତ୍ର।
ଭୁବନେଶ୍ୱର: ଲାଞ୍ଜିଗଡ଼ରୁ ଭୁବନେଶ୍ୱର। ଲାଞ୍ଜିଗଡ଼ ବକ୍ସାଇଟ୍ ଖଣି ପାଇଁ ତୁରନ୍ତ ଏକ ଗ୍ରାମସଭା ଆୟୋଜନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦେବା ସହ, ରାଜଧାନୀ ରାସ୍ତାରେ ଏକ ବିଶାଳ ଶୋଭାଯାତ୍ରା କରିଥିଲେ କଳାହାଣ୍ଡି ବାସିନ୍ଦା।
ଆଦିବାସୀ ଗୋଷ୍ଠୀ ଏବଂ କଳାହାଣ୍ଡି ବାସିନ୍ଦାଙ୍କର ମୁଖ୍ୟ ଦାବି ରହିଛି ଲାଞ୍ଜିଗଡ଼ ଅଞ୍ଚଳର ବିକାଶ। ଯାହାକି ଏବେସୁଦ୍ଧା କାର୍ଯ୍ୟକ୍ଷମ ହୋଇନାହିଁ। ସେମାନଙ୍କ ଅଞ୍ଚଳରେ ସାମାଜିକ-ଅର୍ଥନୈତିକ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ସେମାନଙ୍କର ମୁଖ୍ୟ ଦାବି ରହିଛି।
ଲାଞ୍ଜିଗଡ଼ର ବିକାଶ: ଯେହେତୁ କଳାହାଣ୍ଡିର ସମ୍ପୂର୍ଣ୍ଣ ଅପରପାର୍ଶ୍ୱରେ ଥିବା ରାୟଗଡ଼ା ଓ କଳାହାଣ୍ଡିର ପଡ଼ୋଶୀ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ହୋଇଛି। ଯଦ୍ୱାରା ସେଠାକାର ଜୀବନଧାରଣ ମାନ, ଅର୍ଥନୈତିକ ଜୀବନରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି।
ହେଲେ କଳାହାଣ୍ଡି ଜିଲ୍ଲାରେ ବିଶ୍ୱର ଅନେକ ସର୍ବୋତ୍ତମ ବକ୍ସାଇଟ୍ ଭଣ୍ଡାର ରହିଛି। ତଥାପି ଏହି ଅଞ୍ଚଳରେ ବିକାଶର ଚିହ୍ନବର୍ଣ୍ଣ ନାହିଁ। ଆଉ ଏହା କାର୍ଯ୍ୟକ୍ଷମ ନହେବା କାରଣରୁ ବକ୍ସାଇଟ୍ ସମୃଦ୍ଧ କଳାହାଣ୍ଡି ଅଞ୍ଚଳ ଏବେ ବି ପଛରେ ରହିଯାଇଛି। ଆଉ ସେଥିପାଇଁ ଏବେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି ରହିଛନ୍ତି ଆଦିବାସୀ ଗୋଷ୍ଠୀ ଏବଂ କଳାହାଣ୍ଡି ବାସିନ୍ଦା।
ଗ୍ରାମସଭା ଆୟୋଜନ: ତେବେ କଳାହାଣ୍ଡି ବକ୍ସାଇଟ୍ ସମ୍ୱଳ ସମୃଦ୍ଧ ହେବା ସତ୍ତ୍ୱେ, ଏହା ଓଡ଼ିଶାର ଏକ ଅନୁନ୍ନତ ଅଞ୍ଚଳ ହୋଇ ରହିଯାଇଛି। ଦୀର୍ଘ ୨୧ ବର୍ଷ ଧରି ଲାଞ୍ଜିଗଡ଼ ବକ୍ସାଇଟ୍ ଖଣି ପାଇଁ ଗ୍ରାମସଭା ବିଚାରଧୀନ ରହିଛି।
ଏହି ଅଞ୍ଚଳରେ ବକ୍ସାଇଟ୍ ଖଣିର କାର୍ଯ୍ୟକ୍ଷମ ନ ହେବା କାରଣରୁ ଏହି ଅଞ୍ଚଳ ଆଗକୁ ବଢିପାରୁନି। ଜିଲ୍ଲାର ପ୍ରଗତିରେ ବାଧା ସୃଷ୍ଟି କରୁଛି। ଯଦ୍ୱାରା ବକାରୀ ସମସ୍ୟା ବୃଦ୍ଧି ପାଉଛି। ଯଦି ଲାଞ୍ଜିଗଡ଼ରେ ବକ୍ସାଇଟ୍ ଶିଳ୍ପ କାର୍ଯ୍ୟକ୍ଷମ ହୁଅନ୍ତା, ତାହାଲେ ଅନେକ ବେରୋଜଗାରୀ ରୋଜଗାର କରିପାରନ୍ତେ।
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ: ତେଣୁ ବିକଶିତ ଓଡ଼ିଶାର ପରିକଳ୍ପନା ଓ ନୂତନ ଡବଲ ଇଞ୍ଜିନ ସରକାରଙ୍କ ନେତୃତ୍ୱରେ ଆଦିବାସୀ ସମ୍ପ୍ରଦାୟ ଓ କଳାହାଣ୍ଡି ଲୋକଙ୍କର ବିକାଶ ପ୍ରତି ସରକାର ଦୃଷ୍ଟି ଦିଅନ୍ତୁ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି।
ସବୁଠାରୁ ବଡ଼ କଥା ହେଉଛି ମୁଖ୍ୟମନ୍ତ୍ରୀ ନିଜେ ଏଥିରେ ହସ୍ତକ୍ଷେପ କରିବା ସହ କଳାହାଣ୍ଡି ଜିଲ୍ଲାର ବିକାଶକୁ ଅଗ୍ରାଧିକାର ଦିଅନ୍ତୁ ବୋଲି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।