(Video)ଜମ୍ମୁ-କଶ୍ମୀରରେ ପ୍ରକୃତିର କୋପ; ମାତାରାଣୀ ଦର୍ଶନ କରିବାକୁ ଆସି ଭାସିଗଲେ,12 ମୃତ୍ୟୁ ଆଶଙ୍କା

ଉତ୍ତରାଖଣ୍ଡ, ହିମାଚଳ ପରେ ଏବେ ଜମ୍ମୁ-କାଶ୍ମୀରରେ ବାଦଲ ଫଟା ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ 12 ମୃତ୍ୟୁ ଆଶଙ୍କା କରାଯାଉଛି ।

ଜମ୍ମୁ-କଶ୍ମୀର: ଉତ୍ତରାଖଣ୍ଡ, ହିମାଚଳ ପରେ ଏବେ ଜମ୍ମୁ-କାଶ୍ମୀରରେ ବାଦଲ ଫଟା ଘଟଣା ସାମ୍ନାକୁ ଆସିଛି । ଗୁରୁବାର ଦ୍ଵିପ୍ରହରରେ ଜମ୍ମୁ-କାଶ୍ମୀରର କିସ୍ତୱାଡ଼ର ଚିଶୋଟି ଗାଁରେ ମଚୈଲ ମାତା ମନ୍ଦିର ପାଖରେ ବାଦଲ ଫଟା ବର୍ଷା ହୋଇଛି । ଯାହାଦ୍ୱାରା ସେଠାରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ବନ୍ୟା ଯୋଗୁଁ 12 ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ବାଦଲଫଟା ବର୍ଷାରେ ମଚୈଲ ମାତା ମନ୍ଦିର ନିକଟ ଟେଣ୍ଟ ଭାସିଯିବାରୁ ଏଭଳି ଅଘଟଣ ଘଟିଛି। ତେବେ ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଉଦ୍ଧାର ପାଇଁ ପଠାଯାଇଛି ଉଦ୍ଧାରକାରୀ ଟିମ୍ । ଅନ୍ୟପଟେ କାଶ୍ମୀରର ରାଜୌରୀ ଏବଂ ମେଣ୍ଢରରୁ ମଧ୍ୟ ବାଦଲ ଫାଟିବାର ସୂଚନା ମିଳିଛି ।

ମାମଲାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କିସ୍ତୱାଡ଼ର ଡିସି ପଙ୍କଜ ଶର୍ମାଙ୍କ ସହ ଫୋନରେ କଥା ହୋଇ ସୂଚନା ନେଇଛନ୍ତି । ଘଟଣାରେ ବଡ଼ କ୍ଷୟକ୍ଷତି ହେବାର ଆଶଙ୍କା କରାଯାଉଛି ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଘଟଣାରେ ବନ୍ୟାରେ ଏକ କାର୍ ଫସି ରହିଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ଚୋସିଟି ଅଞ୍ଚଳରେ ବାଦଲ ଫାଟିବା ସମୟରେ ଏଠାରେ ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ଘଟଣା ପରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଶ୍ରଦ୍ଧାଳୁଙ୍କ ଚିତ୍କାର ଶୁଭୁଛି । ଭିଡିଓରେ ଅନେକ ଶ୍ରଦ୍ଧାଳୁ କାନ୍ଦି କାନ୍ଦି ନିଜ ପରିଜନଙ୍କୁ କୋଳେଇ ନେଉଥିବାର ଦେଖିବାକୁ ମିଳିଛି । ତେବେ ଏପର୍ଯ୍ୟନ୍ତ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି ।

ଶ୍ରୀନଗର ପାଣିପାଗ କେନ୍ଦ୍ର ଆଗାମୀ ୬ ଘଣ୍ଟା ମଧ୍ୟରେ ପ୍ରଦେଶର ଅନେକ ସ୍ଥାନରେ ମଧ୍ୟମରୁ ଭାରୀ ବର୍ଷା ହେବାର ଆଶଙ୍କା କରିଛି । କିସ୍ତୱାଡ଼ର ପାହାଡ଼ିଆ ଅଞ୍ଚଳ, କାଜିଗୁଣ୍ଡ, ବନିହାଲ, ରାମବନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସୂଚନା ଦିଆଯାଇଛି । ଏହା ବ୍ୟତୀତ ବିଭାଗ କିଛି ସମ୍ବେଦନଶୀଳ ସ୍ଥାନ ଏବଂ ପାହାଡ଼ିଆ ଅଞ୍ଚଳରେ ବାଦଲ ଫାଟିବା ହଠାତ୍ ବନ୍ୟା ଆସିବା ଏବଂ ଭୂସ୍ଖଳନ ହେବାର ଆଶଙ୍କା କରିଛି ।