fbpx

ପୁରୁଣା ବର୍ଷର ବଜେଟ ପଢ଼ିଲେ ମୁଖ୍ୟମନ୍ତ୍ରୀ: ଗେହଲଟଙ୍କ ଭୁଲକୁ ନେଇ ବିଧାନସଭାରେ ହଙ୍ଗାମା

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଧିକାଂଶ ସମୟରେ ରାଜନୈତିକ ବୟାନବାଜୀକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତେବେ ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏକ ସାମାନ୍ୟ ଭୁଲକୁ ନେଇ ରାଜସ୍ଥାନ ବିଧାନସଭାରେ ହଙ୍ଗାମା ସୃଷ୍ଟି ହୋଇଛି । ଚଳିତ ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଗେହଲଟ ନିଜର ଅନ୍ତିମ ବଜେଟ ଆଗତ କରିଥିଲେ ।

ସୂଚନା ମୁତାବକ, ଆଜି ବିଧାନସଭାରେ ବଜେଟ ଆଗତ କରିବା ସମୟରେ ମୁଖ୍ୟମନ୍ତ୍ରୀ ଗେହଲଟ ଦୁର୍ଭାଗ୍ୟବଶତଃ ଏକ ଭୁଲ୍ କରିଦେଇଥିଲେ । ଚଳିତ ବର୍ଷର ବଜେଟ ପଢ଼ିବା ପରେ ସେ ଗତବର୍ଷର ବଜେଟ ପଢ଼ିଦେଇଥିଲେ । ମାତ୍ର ଏହି ସମୟରେ ବାଚସ୍ପତି ସି.ପି ଯୋଶୀ ଏହାକୁ ଆଉ ଆଗକୁ ବଢ଼ିବାକୁ ଦେଇନଥିଲେ । ଏହାକୁ ନେଇ ଗୃହରେ ହଙ୍ଗାମା ସୃଷ୍ଟି ହୋଇଥିଲା । ବିରୋଧୀ ବିଜେପିର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ଗୃହକୁ ଅଧଘଣ୍ଟା ପାଇଁ ମୁଲତବୀ ରଖାଯାଇଥିଲା ।

ବିଧାନସଭାରେ ଯେତେବେଳେ ମୁଖ୍ୟମନ୍ତ୍ରୀ ବଜେଟ ପଢ଼ୁଥିଲେ, ସେତେବେଳେ ବିରୋଧୀ ଦଳର ସଦସ୍ୟମାନେ ହଙ୍ଗାମା ଆରମ୍ଭ କରିଦେଇଥିଲେ । ଏହି ସମୟରେ ସଂଯମତା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଗେହଲଟ ବଜେଟ ପଢ଼ିବା ସମୟରେ ଗତବର୍ଷର ତିନି ଚାରିଟି ଯୋଜନାକୁ ଗଣିଦେଇଥିଲେ । କେବଳ ଏତିକି ନୁହେଁ ସହରୀ ବିକାଶ ଯୋଜନା ଯାହାକି ଗତବର୍ଷ ଲାଗୁ ହୋଇଥିଲା ତାହାକୁ ମଧ୍ୟ ସିଏମ ପଢ଼ିଦେଇଥିଲେ । ଏହାପରେ ଜଳ ମନ୍ତ୍ରୀ ମହେଶ ଯୋଶୀ ମୁଖ୍ୟମନ୍ତ୍ରୀଙ୍କ କାନରେ କିଛି କହିଥିଲେ । ତା’ପରେ ମୁଖ୍ୟମନ୍ତ୍ରୀ ସରି କହିଥିଲେ ମଧ୍ୟ ବିରୋଧୀଙ୍କ ହଙ୍ଗାମା ଥମି ନଥିଲା ।

Get real time updates directly on you device, subscribe now.