fbpx

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ନଭେମ୍ବର ୪ରୁ ଆବେଦନ ଆରମ୍ଭ, ୧୪ଟି ବିଭାଗରେ ଦିଆଯିବ ପୁରସ୍କାର

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେଥିପାଇଁ ଚଳିତ ଶିକ୍ଷାବର୍ଷରୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଆରମ୍ଭ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଶିକ୍ଷକ, ଛାତ୍ରଛତ୍ରୀ ଓ ଶିକ୍ଷା ସହିତ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହିତ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ।

ଏହି ଯୋଜନାରେ, ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯିବ । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୱେବ ପୋର୍ଟାଲ ମାଧ୍ୟମରେ ପୁରସ୍କାର ପ୍ରକ୍ରିୟା ପରିଚାଳନା କରାଯିବ । ତେବେ ନଭେମ୍ବର ୪ ତାରିଖରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ ହେବ । ୧୪ଟି ବିଭାଗରେ ଏହି ପୁରସ୍କାର ଦିଆଯିବ । ନଭେମ୍ବର ୧୭ ପର୍ଯ୍ୟନ୍ତ https://msp.odisha.gov.in/ ୱେବସାଇଟରେ ଆବେଦନ ପ୍ରକ୍ରିୟା ଜାରି ରହିବ ।

ରାଜ୍ୟସ୍ତରରେ ୧୯,୪୬୭ଟି ପୁରସ୍କାର ବାବଦକୁ ୩୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯିବ । ସେହିପରି ଜିଲ୍ଲାସ୍ତରରେ ୪,୬୮୦ଟି ପୁରସ୍କାର ପାଇଁ ୨୪ କୋଟିରୁ ଅଧିକ ଟଙ୍କା, ବ୍ଲକ ସ୍ତରରେ ୩୪,୮୫୪ଟି ପୁରସ୍କାର ବାବଦକୁ ୫୯ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯିବ । ମାଧ୍ୟମିକ ସ୍କୁଲ ଓ ମାଧ୍ୟମିକ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷକ ପୁରସ୍କାର, ପ୍ରାଥମିକ ସ୍କୁଲ ଓ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷକ ପୁରସ୍କାର, ପୂରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର, ଗ୍ରାମପଞ୍ଚାୟତ ପୁରସ୍କାର, ଜିଲ୍ଲା ପୁରସ୍କାର, ବ୍ଲକ ଶିକ୍ଷାଧିକାରୀ (ବିଇଓ), ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ), ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ (ସିଆରସିସି), ବ୍ଲକ ପୁରସ୍କାର, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି) ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।

Get real time updates directly on you device, subscribe now.