ଓଡ଼ିଶାରେ ହିନ୍ଦୀ ଭାଷାର ପ୍ରସାର ପାଇଁ କେନ୍ଦ୍ର ସରକାରଙ୍କୁ ୬ଟି ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କ’ଣ ସେହି ସବୁ ପ୍ରସ୍ତାବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ହିନ୍ଦୀ ଭାଷାର ପ୍ରଚାର, ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମେହନ ଚରଣ ମାଝୀ ଅଣ୍ଟା ଭିଡିଛନ୍ତି । ଏହି କ୍ରମରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା କେନ୍ଦ୍ରୀୟ ହିନ୍ଦୀ ସମିତିର ୩୨ତମ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୬ଟି ପ୍ରସ୍ତାବ ଦେଇଛନ୍ତି । ସ୍ୱତନ୍ତ୍ର ହିନ୍ଦୀ ଶିକ୍ଷା ପ୍ରତିଷ୍ଠାନ ସ୍ଥାପନ, ଓଡିଆ-ହିନ୍ଦି ଅନୁବାଦ କେନ୍ଦ୍ର ପ୍ରତିଷ୍ଠା, ଇଣ୍ଟର-ଲାଙ୍ଗୁଏଜ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ସ୍ଥାପନ ସହିତ ୬ଟି ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଆଜିର ଏହି ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିଥିଲେ ।
ଏହି ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡିଶାରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ କେତେକ ପ୍ରସ୍ତାବ ରଖିଥିଲେ । ସେଗୁଡିକ ହେଉଛି, ୧- ଓଡିଶାରେ ସ୍ୱତନ୍ତ୍ର ହିନ୍ଦୀ ଶିକ୍ଷା ପ୍ରତିଷ୍ଠାନ ସ୍ଥାପନ- ରାଜ୍ୟରେ ଅଧିକ ସଂଖ୍ୟକ ହିନ୍ଦି ଶିକ୍ଷକ ସୃଷ୍ଟି କରିବା ଏବଂ ହିନ୍ଦୀ ସାହିତ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ସ୍ୱତନ୍ତ୍ର ହିନ୍ଦୀ ଶିକ୍ଷା ପ୍ରତିଷ୍ଠାନର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ୨- ଓଡିଆ-ହିନ୍ଦି ଅନୁବାଦ କେନ୍ଦ୍ର ପ୍ରତିଷ୍ଠା- ଓଡିଆ ଓ ହିନ୍ଦି ଭାଷାର ପ୍ରଚାର ପ୍ରସାର ପାଇଁ ଉଭୟ ଭାଷାର ଅନବଦ୍ୟ ସାହିତ୍ୟିକ କୃତି ଏବଂ ଅନ୍ୟାନ୍ୟ ରଚନା ଗୁଡିକର ଅନୁବାଦ ଆବଶ୍ୟକ । ଏଥି ପାଇଁ କେନ୍ଦ୍ର ସରକାରଙ୍କ ରାଜଭାଷା ବିଭାଗର ଆର୍ଥିକ ସହାୟତାରେ ଏକ ସ୍ୱତନ୍ତ୍ର ଅନୁବାଦ କେନ୍ଦ୍ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ।
୩- ଅଧିକ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମର ଆୟୋଜନ- ହିନ୍ଦୀ ଏବଂ ଓଡିଆ ଭାଷା ଓ ସାହିତ୍ୟ ମଧ୍ୟରେ ଅଧିକ ସାଂସ୍କୃତିକ ବିନିମୟ ପାଇଁ ଜାତୀୟ ଓ ରାଜ୍ୟ ସ୍ତରରେ ଅଧିକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ଆବଶ୍ୟକ । ଏହି ସବୁ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର କବି, ସାହିତ୍ୟିକ, ଲେଖକ ଓ ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିବା ଆବଶ୍ୟକ । ଏହା ଦ୍ୱାରା ହିନ୍ଦୀ ଓ ଓଡିଆ ମଧ୍ୟରେ ସାହିତ୍ୟିକ ଓ ସାଂସ୍କୃତିକ ସମ୍ବନ୍ଧ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରସ୍ତାବରେ କହିଥିଲେ । ୪- ଉଭୟ ଭାଷାରେ ଅନୁସନ୍ଧାନ ଓ ଗବେଷଣା ପାଇଁ ଓଡିଶାରେ ଏକ ଇଣ୍ଟର-ଲାଙ୍ଗୁଏଜ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ର ସ୍ଥାପନା କରାଯିବା ଆବଶ୍ୟକ । ଏହା ଦ୍ୱାରା ଉଭୟ ଭାଷାର ପାରସ୍ପରିକ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ୫- ଶିକ୍ଷା ବ୍ୟବସ୍ଥାରେ ହିନ୍ଦୀ ଶିକ୍ଷାଦାନ ପାଇଁ ଆବଶ୍ୟକୀୟ ସମ୍ବଳ ପାଇଁ ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ଏବଂ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଥିଲେ । ୬- ଏହା ସହିତ ହିନ୍ଦୀ ସାହିତ୍ୟର ବିକାଶ ପାଇଁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ଶିକ୍ଷା ପ୍ରତିଷ୍ଠାନ ଗୁଡିକୁ ସ୍ୱତନ୍ତ୍ର ଅନୁଦାନ ଏବଂ ସହଯୋଗ ପ୍ରଦାନ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ଅନେକ ସଦସ୍ୟ, କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।