fbpx

ଏବେ ହିମାଚଳ ପ୍ରଦେଶ ପାଳି, ଖୁବଶୀଘ୍ର ବଦଳିପାରନ୍ତି ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିଜେପିର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରକ୍ରିୟାରେ ବର୍ତ୍ତମାନ ହିମାଚଳ ପ୍ରଦେଶର ପାଳି ପଡ଼ିପାରେ । ଖୁବଶୀଘ୍ର ଏନେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଜୟରାମଙ୍କ ଦିଲ୍ଲୀ ଗସ୍ତକୁ ନେଇ ଏହି ଚର୍ଚ୍ଚା ହେଉଥିବା କୁହାଯାଇଛି । ଦୁଇଦିନ ତଳେ ଜୟରାମ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ସାକ୍ଷାତ କରି ଫେରିଥିଲେ ହେଁ ପୁଣି ଥରେ ତାଙ୍କୁ ଦିଲ୍ଲୀରୁ ଡାକରା ଆସିବା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଉଛି । ଏହାପୂର୍ବରୁ ଗୁଜରାଟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇ ଗତକାଲି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ତେବେ ବିଜେପିର ଏହି ଆଭ୍ୟନ୍ତରୀଣ ମାମଲାକୁ ନେଇ କଂଗ୍ରେସ କଡ଼ା ଟିପ୍ପଣୀ ଦେଇଛି । ଜୟରାମଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯାଉଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି । ଅପରପକ୍ଷେ ଭାଜପା ପକ୍ଷରୁ ଏହି ମନ୍ତବ୍ୟକୁ ଖଣ୍ଡନ କରାଯାଇଛି । କାରଣ ୨୦୨୨ ବିଧାନସଭା ନିର୍ବାଚନରେ ଜୟରାମଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିଲା । ଗତ ୮ ତାରିଖରେ ଜୟରାମ ଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରମୁଖଙ୍କୁ ସାକ୍ଷାତ କରି ଫେରିଥିଲେ । ଗତ ଗୁରୁଦିନ ଦିନ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଦେଶ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ପାଇଁ ନିମନ୍ତ୍ରଣ କରି ରବିବାର ଦିନ ଫେରି ଆସିଥିଲେ । ଦୁଇଦିନ ପରେ ପୁଣି ଥରେ ହାଇକମାଣ୍ଡ ଜୟରାମଙ୍କୁ ଦିଲ୍ଲୀ ଡକାଇଛନ୍ତି । ଶୁଣାଯାଉଛି ଯେ, ମୁଖ୍ୟମନ୍ତ୍ରୀଙ୍କ ସହ ନଡ୍ଡା ରାଜ୍ୟର ଉପନିର୍ବାଚନ ନେଇ ଆଲୋଚନା କରିବେ । ଏଥିସହ ସରକାର ଓ ସଂଗଠନର କାର୍ଯ୍ୟାବଳୀ, ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଆଦି ବିଷୟରେ ବିଚାରବିମର୍ଶ କରିବେ ବୋଲି କୁହାଯାଉଛି ।

Get real time updates directly on you device, subscribe now.