fbpx

୬ ଅଧିକାରୀଙ୍କୁ ଚାକିରୀରୁ ବିଦା କଲେ ମୁଖ୍ୟମନ୍ତ୍ରୀ, ୨ ଜଣଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୨୪ ।୨(ଓଡିଶା ଭାସ୍କର): ଦୁର୍ନୀତି ଓ ଲାଞ୍ଚୁଆ ଅଫିସରଙ୍କ ବିରୋଧରେ କଡା ଆଭିମୁଖ୍ୟ ଜାରି କରିଛନ୍ତି ରାଜ୍ୟ ସରକାର । ଦୁର୍ନୀତିଗ୍ରସ୍ତ ୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ସହ ସେମାନଙ୍କ ପେନସନ୍ ସୁବିଧା ମଧ୍ୟ ସ୍ଥାୟୀ ଭାବେ ବନ୍ଦ କରିବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ବ୍ୟତୀତ ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଦୁର୍ନୀତି ବିରୋଧୀ କାର୍ଯ୍ୟନୁଷ୍ଠାନର ସମ୍ମୁଖୀନ ହୋଇଥିବା ଲାଞ୍ଚୁଆ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି- ଓବିସିସିର ପୂର୍ବତନ ଯନ୍ତ୍ରୀମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକ ସୁଧୀର କୁମାର ବ୍ରଜେନ୍ଦ୍ର ନାରାୟଣ । ତାଙ୍କର ପେନସନ୍ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି ବୋଲି ବିଜେଡି କାର୍ଯ୍ୟାଳୟରୁ ସୂଚନା ମିଳିଛି ।

ସ୍ଥାୟୀ ଭାବେ ପେନସନ ବନ୍ଦ ହୋଇଥିବା ଲାଞ୍ଚୁଆ ଅଧିକାରୀ ହେଉଛନ୍ତି- ନିର୍ବାହୀ ଯନ୍ତ୍ରୀ ବା ଓବିସିସିର ବରିଷ୍ଠ ପ୍ରୋଜେକ୍ଟ ମ୍ୟାନେଜର ଅରୁଣ ଚରଣ ପରିଡା, ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ବେହେରା, ପୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ବ୍ରଜସୁନ୍ଦର ପଟ୍ଟନାୟକ, କଟକ ମହାନଗର ନିଗମର ଅବସରପ୍ରାପ୍ତ ଯନ୍ତ୍ରୀ ଖଗେଶ୍ୱର ସ୍ୱାଇଁ ଓ ସମ୍ବଲପୁର ରାସ୍ତା ଓ କୋଠାବାଡି ଡିଭିଜନର ଅବସରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ବିବେକାନନ୍ଦ ମହାନ୍ତି ।

ସେହିପରି ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀ ହେଉଛନ୍ତି- କଳାହାଣ୍ଡି ଜିଲ୍ଲା କୋକସରା ତହସିଲ ରେଭେନ୍ୟୁ ଇନସପେକ୍ଟର ଇଶ୍ୱରୀ ପ୍ରସାଦ ପୁରୋହିତ ଓ ସୋନପୁର ଜିଲ୍ଲା ବୀରମହାରାଜପୁର ତହସିଲର ଇନସପେକ୍ଟର ଅରୁଣ କୁମାର ପୁରୋହିତ । ଏହି ଦୁଇ ରାଜସ୍ୱ ବିଭାଗ ଅଧିକାରୀ ବହୁବାର ଭିଜିଲାନ୍ସ ଜାଲରେ ଧରାପଡି ଜେଲ ଯାଇଥିବା ଜଣାପଡିଛି ।

ତେବେ ଗତ ଅଗଷ୍ଟ ମାସରୁ ବର୍ତ୍ତମାନ ସୁଦ୍ଧା ୭୪ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିବା ବେଳେ ୧୫ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

Get real time updates directly on you device, subscribe now.