fbpx

ରେଭେନ୍ସାରେ ନାଚଗୀତର ଆସର: କାରଣ ଦର୍ଶାଅ ନୋଟିସ୍ ପଠାଇଲା CMC

Advertisement

କଟକ(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସତର୍କତା ଜାରି କରାଯାଇଥିବା ବେଳେ କଟକ ରେଭେନ୍ସାରେ ନିୟମ ଉଲ୍ଲଙ୍ଘନ କରାଯାଇଛି । ଶହ ଶହ ଛାତ୍ରଛାତ୍ରୀ ଏକ କାର୍ଯ୍ୟକ୍ରମରେ ଏକତ୍ରିତ ହୋଇ ନାଚି, ଗାଇ ମସଗୁଲ୍ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାର କିଛି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରେଭେନ୍ସାକୁ କାରଣ ଦର୍ଶାଅ ନୋଟିସ ପଠାଇଛି ସିଏମସି । ଏନେଇ ସିଏମସି ଡେପୁଟି କମିଶନର ଅବିନାଶ ରାଉତ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ରେଭେନ୍ସାରେ ସରକାରୀ ଗାଇଡଲାଇନ୍ ଉଲ୍ଲଙ୍ଘନ ହୋଇଛି । ରେଭେନ୍ସା ସ୍ପୋର୍ଟସ କମିଟିକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିଏମସି ଡେପୁଟି କମିଶନର କହିଛନ୍ତି ।

ତେବେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୨୨ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ୧୫ତମ ବାର୍ଷିକ ଆଥଲେଟିକ୍ ମିଟ୍ କାର୍ଯ୍ୟକ୍ରମ ଅବସରରେ ଏପରି ଘଟଣା ଘଟିଛି । ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର ଶହ ଶହ ଛାତ୍ରଛାତ୍ରୀଙ୍କ ସମେତ ପ୍ରଫେସର, ଅଧ୍ୟାପକ, ଅଧ୍ୟାପିକାଙ୍କ ସହ ଅନ୍ୟମାନେ ସାମିଲ୍ ହୋଇଥିଲେ । ତେବେ ଏହା ଅନୁଷ୍ଠାନର କ୍ୟାମ୍ପସ ପରିସରରେ ଆୟୋଜନ କରାଯାଇଥିବାରୁ ଏହା ପୋଲିସର ନଜରକୁ ଆସିନଥିଲା । ଏହି ମଉଜମସ୍ତିଭରା ହଙ୍ଗାମାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ନାଚଗୀତରେ ମସଗୁଲ ଥିବା ଛାତ୍ରଛାତ୍ରୀ ମଧ୍ୟରେ ନା ଥିଲା ସାମାଜିକ ଦୂରତା ନା ମୁହଁରେ ମାସ୍କ । ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୪ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରେଭେନ୍ସା ଭଳି ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକାଙ୍କ ଏପରି ବେଖାତିରି ଅତି ନିନ୍ଦନୀୟ ବୋଲି କୁହାଯାଉଛି ।

Get real time updates directly on you device, subscribe now.