fbpx
BSKY SKY
BSKY SKY

ଆଜିଠୁ ବଦଳିବ ପାଗ, କମିବ ତାପମାତ୍ରା: ୨୨ରୁ ବଢ଼ିବ ଶୀତ, ୨୩ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ବିଦାୟ ନେବ ମୌସୁମୀ ବାୟୁ

BSKY

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ପ୍ରକ୍ରିୟା ଜାରି ରହିଛି । ଏହି ଧାରା ଅବ୍ୟାହତ ରହିଲେ ଚଳିତ ମାସ ୨୩ ତାରିଖ ସୁଦ୍ଧା ସମଗ୍ର ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ରୂପେ ବିଦାୟ ନେଇଯିବ । ବୁଧବାର ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ।

ଅପରପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଦୁଇ ଦୁଇଟି ଲଘୁଚାପ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗତ ୫ଦିନ ଧରି ବର୍ଷା ଲାଗି ରହିବା ପରେ ରାଜ୍ୟ ଉପରେ ଏବେ ଆଉ ବର୍ଷାର ପ୍ରଭାବ ନାହିଁ । ବୁଧବାର ରାଜ୍ୟର ଉପକୂଳ ଓ ଆଭ୍ୟନ୍ତର ଜିଲ୍ଲାର କାଁ ଭାଁ ସ୍ଥାନରେ ପାଗ ମେଘୁଆ ରହିଥିଲା ଏବଂ କିଛି ସ୍ଥାନରେ ସାମାନ୍ୟରୁ ହାଲୁକା ବର୍ଷା ମଧ୍ୟ ହୋଇପାରେ । ତେବେ, ଆଜି ଠାରୁ ରାଜ୍ୟରେ ଆଉ ବର୍ଷାର ସମ୍ଭାବନା ନାହିଁ । ୨୧ ତାରିଖ ଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ । ତେବେ ଗଞ୍ଜାମ ଓ ଗଜପତିରେ ୨୫ ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ରହିବା ସହ ବିକ୍ଷିପ୍ତ ବର୍ଷା ସମ୍ଭାବନା ରହିଛି । ଅପରପକ୍ଷେ ରାଜ୍ୟର ତାପମାତ୍ରା ମଧ୍ୟ ଧୀରେଧୀରେ କମିବା ଆରମ୍ଭ କରିବ । ଚଳିତ ମାସ ଶେଷ ସପ୍ତାହ ସୁଦ୍ଧା ରାଜ୍ୟରେ ଶୀତ ଅନୁଭୂତ ହେବ ବୋଲି ଅନୁମାନ କରାଯାଉଛି ।

୨୫ ତାରିଖରୁ ରାଜ୍ୟ ମଧ୍ୟକୁ ଜମ୍ମୁ- କଶ୍ମୀର ଅଞ୍ଚଳରୁ ଉତ୍ତରା ପବନ ବହିବା ଆରମ୍ଭ ହେବ । ଏଣୁ ୨୬ ତାରିଖରୁ ରାଜ୍ୟରେ ଉଭୟ ଦିନ ଓ ରାତିର ତାପମାତ୍ରା କମିବ । ୨୬ ରୁ ୨୮ ତାରିଖ ମଧ୍ୟରେ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨.୫ ଡିଗ୍ରି କମିବ । ତେବେ ୨୨ ତାରିଖରୁ ରାଜ୍ୟର ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ୧.୯ରୁ ୧.୫ ଡିଗ୍ରି ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା କମିବା ଯୋଗୁଁ ହାଲୁକା ଶୀତ ଅନୁଭୂତ ହେବ ବୋଲି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.