fbpx
BJD
BJD SKY
BJD SKY

ରାଜ୍ୟର ବିଧାୟକଙ୍କ ଦରମା ଓ ଭତ୍ତା କେତେ ବଢ଼ିବ! ୯୯ ହଜାରରୁ ୩ ଲକ୍ଷ ବୃଦ୍ଧି ପାଇଁ ଦାବି, ବାଚସ୍ପତିଙ୍କୁ ସୁପାରିଶ କଲା କମିଟି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଧାୟକମାନେ ପାଇବେ ଅଧିକ ଦରମା ଓ ଭତ୍ତା । ଏଥିସହିତ ସେମାନଙ୍କୁ ଅଧିକ ସୁବିଧା ସୁଯୋଗ ମିଳିବ । ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଗଠିତ ଦରମା ବୃଦ୍ଧି କମିଟି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ଏ ବାବଦରେ ସୁପାରିଶ କରିଛି । ବିଧାୟକଙ୍କ ଗସ୍ତ ଖର୍ଚ୍ଚ, ଦରମା ଓ ପେନସନ ବୃଦ୍ଧି ସହିତ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ କମିଟି ତରଫରୁ ସୁପାରିଶ କରାଯାଇଥିବା ଜଣାପଡ଼ିଛି ।

ବର୍ତ୍ତମାନ ରାଜ୍ୟର ବିଧାୟକମାନେ ମାସିକ ଦରମା ଓ ଭତ୍ତା ବାବଦକୁ୯୯ ହଜାର ୮୦୦ ଟଙ୍କା ପାଉଛନ୍ତି । ସେଥିମଧ୍ୟରେ ଦରମା ୩୫ ହଜାର, କନଭେନିଆନ୍ସ ଭତ୍ତା ୧୫ ହଜାର, ମେଡିକାଲ ଖର୍ଚ୍ଚ ୫ ହଜାର, ସେକ୍ରେଟିଆଲ ଖର୍ଚ୍ଚ ୨୦ ହଜାର, ଇଲେକ୍ଟ୍ରି ଖର୍ଚ୍ଚ ୫ ହଜାର ଓ ଟେଲିଫୋନ୍ ଖର୍ଚ୍ଚ ୮ ହଜାର ଟଙ୍କା ରହିଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ବିଧାୟକମାନେ କମ୍ ଦରମା ପାଉଥିବାରୁ ଏନେଇ ବିଧାୟକମାନେ ଦାବି କରିଥିଲେ । ତେଣୁ ଏହାକୁ ଦୃଷ୍ଟିରେ ରଖି ବାଚସ୍ପତି ଏକ କମିଟି ଗଠନ କରିଥିଲେ ।

ବର୍ତ୍ତମାନର ଷ୍ଟାଣ୍ଡିଂ ବିଧାୟକଙ୍କ ସହିତ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ ଦାବି ହୋଇଥିଲା । ଏହି ଦାବି ନେଇ ବିଧାନସଭା ଗୃହରେ ଚର୍ଚ୍ଚା ହେବାରୁ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । ବର୍ତ୍ତମାନ ବିଧାୟକଙ୍କ ମାସିକ ଦରମା ପାଖାପାଖି ୧ ଲକ୍ଷ ଟଙ୍କା ରହିଥିବା ବେଳେ ଏହାକୁ ୩ ଲକ୍ଷକୁ ବୃଦ୍ଧି କରିବା ପାଇଁ ଦାବି କରାଯାଇଥିଲା । ସେହିଭଳି ପୂର୍ବତନ ବିଧାୟକଙ୍କ ପେନସନ ୩୦ ହଜାରରୁ ୫୦ ହଜାରକୁ ବୃଦ୍ଧି ସହିତ ମେଡିକାଲ ଖର୍ଚ୍ଚ ୨ ହଜାରରୁ ୧୦ ହଜାରକୁ ବୃଦ୍ଧି ପାଇଁ ଦାବି ହୋଇଥିଲା । ଦରମା ବୃଦ୍ଧି ପ୍ରସଙ୍ଗରେ ଶ୍ରୀ ଶତପଥୀଙ୍କ ଅଧ୍ୟକ୍ଷତାରେ ଗତ ମାସରେ ବିଧାନସଭା ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ସୂଚନା ମୁତାବକ, ବାଚସ୍ପତି କମିଟିର ସୁପାରିଶକୁ ସଂସଦୀୟ ବିଭାଗକୁ ପଠାଇ ଦେଇଥିବା ଜଣାପଡ଼ିଛି । ଏବେ ଏହି ଦରମା ବୃଦ୍ଧି ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି ।

Get real time updates directly on you device, subscribe now.