fbpx

ରାଜ୍ୟଗୋଷ୍ଠୀ କ୍ରୀଡା଼ରେ ଭାରତୀୟ ଦଳର ନେତୃତ୍ବ ନେବେ ନୀରଜ, ଭାରତୀୟ ଦଳରେ ଓଡ଼ିଶାର ଦୌଡ଼ରାଣୀ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ସ୍ଥାନ ପକ୍କା

ନୂଆଦିଲ୍ଲୀ: ଇଂଲଣ୍ଡର ବର୍ମିଂହାମଠାରେ ଜୁଲାଇ ୨୮ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଦଳର ନେତୃତ୍ୱ ନେବେ ଟୋକିଓ ଅଲିମ୍ପିକ୍‌ କ୍ରୀଡ଼ାରେ ଐତିହାସିକ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ୍‌ ଥ୍ରୋର ନୀରଜ ଚୋପ୍ରା । ଗତକାଲି ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ) ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ୩୭ ଜଣିଆ ଦଳ ଘୋଷଣା କରିଛି । ଏଥିରେ ଓଡ଼ିଶାର ଦୁଇ ଦୌଡ଼ରାଣୀ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ସ୍ଥାନ ପାଇଛନ୍ତି । ଭାରତୀୟ ଦଳରେ ନୀରଜ ଚୋପ୍ରା, ଡିପିମନୁ ଓ ରୋହିତ ଯାଦବଙ୍କ ରୂପରେ ୩ ଜଣ ଜାଭଲିନ୍‌ ତାରକା ରହିଛନ୍ତି ।

ସେହିଭଳି ୩ ଜଣ ଟ୍ରିପଲ ଜମ୍ପର ଅବଦୁଲା ଆବୁବାକର, ପ୍ରବୀଣ ଚିତ୍ରଭେଲ ଓ ଏଲଡୋସ୍‌ ପଲ୍‌ ବି ରହିଛନ୍ତି । ଅନ୍ୟପକ୍ଷରେ ସଟ୍‌ ପୁଟର ତେଜୀନ୍ଦର ପାଲ ସିଂହଙ୍କୁ ଦଳରେ ସ୍ଥାନ ବଜାୟ ରଖିବା ଲାଗି କାଜାଖସ୍ଥାନ ମିଟ୍‌ରେ ଭଲ କରିବାକୁ ହେବ । ଅନ୍ୟପକ୍ଷରେ ଧାବକ ଅମୋଜ ଜ୍ୟାକବ୍‌ଙ୍କୁ ଭାରତୀୟ ଦଳ ଯିବା ପୂର୍ବରୁ ନିଜ ଫିଟନେସ୍‌ର ପ୍ରମାଣ ଦେବାକୁ ହେବ । ଡିସକପ୍‌ ଖେଳାଳି ନଭନୀତ କୌର ଢିଲୋଁ, ସୀମା ଆନ୍ତିଲ ପୁନିଆ ଏବଂ ହାମର ଥ୍ରୋୟର୍‌ ସରିତା ସିଂହଙ୍କୁ କାଜାଖସ୍ଥାନ କିମ୍ବା କାଲିଫର୍ଣ୍ଣିଆ ମିଟ୍‌ରେ ଭଲ କରିବା ପରେ ଯାଇ ଚୂଡ଼ାନ୍ତ ଦଳରେ ସୁଯୋଗ ମିଳିବ । ଚାଲିରେ ଭାବନା ଜାଟ୍‌ଙ୍କୁ ବି ଫିଟନେସର ପ୍ରମାଣ ଦେବାକୁ ହେବ । ଭାରତୀୟ ଦଳ ପୂର୍ବାପେକ୍ଷା ଏଥର ଭଲ କରିବ ବୋଲି ଏଏଫ୍‌ଆଇ ସଭାପତି ଆଦିଲ ସୁମେରିୱାଲା ଦୃଢ଼ ଆଶା ପୋଷଣ କରିଛନ୍ତି । ତା’ ସହ ଦୌଡ଼କୁଦରେ ଆଉ କିଛି କୋଟା ବଢ଼ାଇବାକୁ ପ୍ରୟାସ କରିବା ଲାଗି ଭାରତୀୟ ଅଲିମ୍ପିକ୍ସ ସଂଘକୁ ଅନୁରୋଧ କରିଛନ୍ତି ।

ଭାରତୀୟ ଦୌଡ଼କୁଦ ଦଳ: ମହିଳା: ୧୦୦ ମିଟର- ଧନଲକ୍ଷ୍ମୀ, ୧୦୦ ମିଟର ବାଧାଦୌଡ଼-ଜ୍ୟୋତି ୟାର୍ଜି, ସଟ୍‌ ପୁଟ୍‌-ମନପ୍ରୀତ କୌର, ଡିସକସ୍‌- ନଭନୀତ କୌର, ସୀମା ପୁନିଆ, ଜାଭଲିନ୍‌-ଅନୁ ରାଣୀ, ଶିଳ୍ପା ରାଣୀ, ହାମର ଥ୍ରୋ-ମଞ୍ଜୁବାଳା ଦେବୀ, ସରିତା ସିଂହ, ଲମ୍ବଡିଆଁ – ଐଶ୍ବର୍ଯ୍ୟା ବି, ଆନ୍ସି ସୋଜନ୍‌, ଟ୍ରି ପଲ୍‌ ଜମ୍ପ-ଐଶ୍ୱର୍ଯ୍ୟା ବି, ୧୦ କିମି ଚାଲି-ଭାବନା ଜାଟ୍‌, ପ୍ରିୟଙ୍କା ଗୋସ୍ୱାମୀ, ୪ ଗୁଣା ୧୦୦ ମିଟର ରିଲେ-ଧନଲକ୍ଷ୍ମୀ, ହିମା ଦାସ, ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ, ଜିଲନା ଏମ୍‌ଭି, ସିମି ଏନଏସ୍‌ । ପୁରୁଷ: ୩୦୦ ମିଟର ଷ୍ଟି ଲଚେଜ୍‌-ଅଭିନାଷ ସାବ୍‌ଲେ, ମାରାଥନ୍‌-ନିତେନ୍ଦର ରାୱତ, ସଟ୍‌ ପୁଟ୍‌- ତେଜିନ୍ଦର ସିଂହ ତୁର, ଜାଭଲିନ୍‌ ଥ୍ରୋ-ନୀରଜ ଚୋପ୍ରା, ମନୁଡିଆଁ ରୋହିତ ଯାଦବ, ଲମ୍ବ ଡିଆଁ-ଶ୍ରୀଶଙ୍କର, ମହମ୍ମଦ ଆନିସ୍‌, ଟ୍ରିପଲ୍‌ ଜମ୍ପ-ଅବଦୁଲା ଆବୁବାକର, ପ୍ରବୀଣ ଚିତ୍ରଭେଲ, ଏଲଢୋସ୍‌ ପଲ୍‌, ୧୦ କିମି ଚାଲି-ସନ୍ଦୀପ କୁମାର, ଅମିତ, ୪ ଗୁଣା ୪୦୦ ମିଟର ରିଲେ- ଅମୋଜ ଜାକବ, ନୋଆ ନିର୍ମଳ ଟମ୍‌, ଆରୋକିଆ ରାଜୀବ, ମହମ୍ମଦ ଆଜମଲ୍‌, ନାଗନାଥନ ପଣ୍ଡି, ରାଜେଶ ରମେଶ । ତେବେ ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ ୧୦୦ କିମ୍ବା ୨୦୦ ମିଟର ପରିବର୍ତ୍ତେ କେବଳ ୬ ଜଣିଆ ୪ ଗୁଣା ୧୦୦ ମିଟର ରିଲେ ଦଳରେ ସୁଯୋଗ ମିଳିଛି । ଅନ୍ୟପକ୍ଷରେ ତାମିଲନାଡୁର ଧନଲକ୍ଷ୍ମୀଙ୍କୁ ୧୦୦ ମିଟରରେ ସ୍ଥାନ ମିଳିଥିଲା ବେଳେ ୨୦୦ ମିଟରରେ କୌଣସି ଖେଳାଳି ବଛା ଯାଇନାହାନ୍ତି । ତେବେ ଜାତୀୟ ରେକର୍ଡଧାରିଣୀ ଦୂତିଙ୍କ ପରିବର୍ତ୍ତେ ଧନଲକ୍ଷ୍ମୀଙ୍କୁ ୧୦୦ ମିଟରରେ ସୁଯୋଗ ମିଳିବା ସମସ୍ତଙ୍କୁ ଚକିତ କରିଛି । କାରଣ ଚଳିତବର୍ଷ ଆଶାଜନକ ପ୍ରଦର୍ଶନ କରି ।ରିନଥିଲେ ମଧ୍ୟ ଦୂତି ଏବେ ବି ୧୦୦ ମିଟର ମହିଳା ବିଶ୍ୱ ମାନ୍ୟତାର ୭୧ତମ ସ୍ଥାନରେ ରହିଛନ୍ତି । ଧନଲକ୍ଷ୍ମୀ କିନ୍ତୁ ବିଶ୍ୱ ମାନ୍ୟତାର ଶ୍ରେଷ୍ଠ ୧୦୦ ଭିତରେ ବି ନାହାନ୍ତି । ତା’ ଛଡ଼ା ସେ ହେଉଛନ୍ତି ୨୦୦ ମିଟରର ବିଶେଷଜ୍ଞ ଧାବିକା । ଅବଶ୍ୟ ୨୪ତମ ଫେଡେରେସନ୍‌ କପ୍‌ରେ ସେ ଅଳ୍ପକେ ଦୂତିଙ୍କୁ ଟପି ଯାଇଥିଲେ । ସମ୍ଭବତଃ ଏହା ତାଙ୍କ ସପକ୍ଷରେ ଯାଇଛି ।

Get real time updates directly on you device, subscribe now.