fbpx

କଂଗ୍ରେସର ଯୁବରାଜ ରାହୁଲଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ଆଜି ହେଉଛି କଂଗ୍ରେସ ଦଳର ଯୁବରାଜ ତଥା ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କ ଜନ୍ମଦିବସ । ଆଜି ରାହୁଲ ୫୧ ବର୍ଷରେ ପାଦ ଦେଇଛନ୍ତି । ଏହି ଅବସରରେ ଅଗଣିତ ପ୍ରଶଂସକ ଓ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାମାନେ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ରାହୁଲଙ୍କ ଜନ୍ମଦିନ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଛି । ଆଜିର କରୋନା ମହାମାରୀରେ ଦେଶବାସୀ କରୋନା କବଳରେ ରହି ବିଭିନ୍ନ ସମସ୍ୟା ମଧ୍ୟରେ ଘେରି ରହିଛନ୍ତି । ତେଣୁ ଚଳିତ ବର୍ଷ ସେ ନିଜର ଜନ୍ମଦିନ ପାଳନ କରିବେ ନାହିଁ ପ୍ରକାଶ କରିଛନ୍ତି ରାହୁଲ । ଏହି ଅବସରରେ ଲୋକଙ୍କର ଦୂରାବସ୍ଥା ବିଷୟରେ ଅବଗତ ହୋଇ ସେମାନଙ୍କୁ ସହାୟତା ପ୍ରଦାନ ଦିଗରେ କାର୍ଯ୍ୟ କରିବାକୁ ରାହୁଲ ଦଳୀୟ କର୍ମକର୍ତ୍ତାଙ୍କୁ ଅନୁରୋଧ କରିଛନ୍ତି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାହୁଲଙ୍କ ଦୀର୍ଘଜୀବନ କାମନା କରିବା ସହ ଗରିବଙ୍କ କଲ୍ୟାଣ ଦିଗରେ ତାଙ୍କର ଉଦ୍ୟମ ସଫଳ ହେଉ ବୋଲି ପ୍ରାର୍ଥନା କରିଛନ୍ତି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କଂଗ୍ରେସର ଏହି ବରିଷ୍ଠ ନେତାଙ୍କ ସୁସ୍ଥ ଓ ଶାନ୍ତି ଜୀବନ କାମନା କରିବା ସହ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ରାହୁଲ ଯୁବବର୍ଗଙ୍କ ପାଇଁ ପ୍ରେରଣା, ତାଙ୍କର ଦୟାଳୁ ମନୋଭାବ ଆଗାମୀ ଦିନରେ ଏକ ମହାନ୍ ଭାରତ ଗଠନ କରିବାରେ ସହାୟକ ହେବ ବୋଲି କଂଗ୍ରେସ ନେତା ଶଶି ଥରୁର କହିଛନ୍ତି । ରାହୁଲଙ୍କ ଆଦର୍ଶରେ କଂଗ୍ରେସ ଦଳ ସହ ଭାରତର ଜନସାଧାରଣ ଅନୁପ୍ରାଣୀତ ହୋଇ ଦେଶର ବିକାଶପଥକୁ ଆଗେଇ ନେବେ ବୋଲି କର୍ଣ୍ଣାଟକ ବିରୋଧୀ ଦଳ ନେତା ସିଦ୍ଧ ରମେୟା କହିଛନ୍ତି । ଦେଶର ବିପଦ ସମୟରେ ରାହୁଲ ଜନତାଙ୍କ ପାଖରେ ଛିଡ଼ା ହୋଇଛନ୍ତି, ତେଣୁ ଆଗାମୀ ଦିନରେ ଦେଶ ତାଙ୍କ ସହ ରହିବ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ କେସି ଭେନୁଗୋପାଳ କହିଛନ୍ତି । ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ ବିଭିନ୍ନ ଦଳର ବହୁ ବରିଷ୍ଠ ନେତାମାନେ ରାହୁଲଙ୍କୁ ଜନ୍ମଦିନ ଅବସରରେ ଅଭିନନ୍ଦନ ଜଣାଇଛନ୍ତି ।

୧୯୭୦ ମସିହା ଜୁନ୍ ମାସ ୧୯ ତାରିଖରେ ଦିଲ୍ଲୀରେ ରାହୁଲ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବାଲ୍ୟଜୀବନ ଦିଲ୍ଲୀ ଓ ଡେରାଡୁନରେ ବିତିଥିଲା । ସେ କଂଗ୍ରେସର ସଭାପତି ଭାବେ ୨୦୧୭ ମସିହା ଡିସେମ୍ବର ମାସ ୧୬ ତାରିଖରୁ ୨୦୧୯ ମସିହା ଜୁଲାଇ ମାସ ୩ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସେ ୧୯୯୪ ମସିହାରେ ଗ୍ରାଜୁଏସନ ପାସ୍ କରିବା ପରେ ଇଂଲଣ୍ଡର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଏମ.ଫିଲ ଶିକ୍ଷା ସମାପ୍ତ କରିଥିଲେ । ଆଗାମୀ ଦିନରେ ରାହୁଲ ଦେଶର ପ୍ରଗତି କ୍ଷେତ୍ରରେ ଅନେକ କାର୍ଯ୍ୟ କରିବା ସହ ଭାରତର ସ୍ୱର୍ଣ୍ଣିମ ଭବିଷ୍ୟତ ଗଠନରେ ସହାୟକ ହେବେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.